Patra electronics

ଏ ହେଉଛି ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ କାର; ଦାମ୍‌ ବାଇକ୍‌ଠୁ ବି କମ୍‌

ଡେସ୍କ: ଭାରତରେ ବୈଦ୍ୟୁତିକ ଯାନର ପରିସର ବୃଦ୍ଧି ପାଇବାରେ ଲାଗିଛି। ଲୋକେ ପେଟ୍ରୋଲ ଏବଂ ଡିଜେଲ ଛାଡି ଇଲେକ୍ଟ୍ରିକ୍ କାର ଆଡ଼କୁ ମୁହାଁଉଛନ୍ତି। ତେବେ ବୈଦ୍ୟୁତିକ କାରର ମୂଲ୍ୟ ଅଧିକ ହୋଇଥିବାରୁ ଅନେକ ଲୋକ ଇଚ୍ଛା ଥାଇ ବି ଏହାକୁ କିଣିପାରି ନଥା’ନ୍ତି। ଯଦି ଆପଣ ମଧ୍ୟ ସ୍ୱଳ୍ପ ବଜେଟ୍ କାରଣରୁ ବ୍ୟାଟେରୀ ଚାଳିତ କାର୍ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ତେବେ ସେପରି କରିବା ଆବଶ୍ୟକ ନାହିଁ। ଆପଣ ସବୁଠାରୁ ଶସ୍ତା ବୈଦ୍ୟୁତିକ କାର୍‌ ୟାକୁଜା କରିଶ୍ମା(Yakuza Karishma) କିଣିପାରିବେ। ଏହାର ଦାମ୍‌ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଏହି କାର୍‌ର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ମଧ୍ୟ କମ୍‌ ବୋଲି କୁହାଯାଉଛି। ଅର୍ଥାତ୍‌ ଆପଣଙ୍କୁ ନାନୋ ଇଭି(Nano EV) ପାଇଁ ଅପେକ୍ଷା କରିବାକୁ ପଡ଼ିବନାହିଁ।

ୟାକୁଜା ଇଭି ହେଉଛି ହରିୟାଣାର ସିର୍ସାସ୍ଥିତ ଏକ ବୈଦ୍ୟୁତିକ ଯାନ ଉତ୍ପାଦନକାରୀ କମ୍ପାନୀ। ଏହାର ୟାକୁଜା କରିଶ୍ମା ଦେଶର ସବୁଠାରୁ ଶସ୍ତା ବୈଦ୍ୟୁତିକ କାର୍। ମିଡିଆ ରିପୋର୍ଟ ଅନୁଯାୟୀ, ଏହାର ପୂର୍ବ ଶୋ’ରୁମ ମୂଲ୍ୟ ପ୍ରାୟ ୧.୭୦ ଲକ୍ଷ ଟଙ୍କା। ଇଲେକ୍ଟ୍ରିକ୍ କାରର ଏତେ କମ୍ ମୂଲ୍ୟ ବାସ୍ତବରେ ଆଶ୍ଚର୍ଯ୍ୟଜନକ, କାରଣ ଅନେକ ଆଗ ଧାଡ଼ିର ବାଇକ୍‌ର ଦାମ୍‌ ୟାକୁଜା କରିଶ୍ମାଠାରୁ ଅଧିକ।

ୟାକୁଜା କରିଶ୍ମା ଫିଚର୍ସ :

ୟାକୁଜା କରିଶ୍ମା ୩ ସିଟ୍‌ ବିଶିଷ୍ଟ ଏକ ଇଲେକ୍ଟ୍ରିକ୍‌ କାର୍‌। ଏହାର ଲୁକ୍ ଏବଂ ଡିଜାଇନ୍ ବେଶ୍‌ ଆକର୍ଷଣୀୟ। ଏହି ବୈଦ୍ୟୁତିକ କାର୍‌ରେ LED DRLs, ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଏଲଇଡି ଫଗ୍‌ ଲ୍ୟାମ୍ପ, ବ୍ରଡ ଗ୍ରୀଲ, କ୍ରୋମ ଡୋର ହ୍ୟାଣ୍ଡେଲ, କନେକ୍ଟେଡ୍‌ ଏଲଇଡି ଟେଲ ଲ୍ୟାମ୍ପ, ପାୱାର ୱିଣ୍ଡୋ, ବଟଲ୍‌ ହୋଲ୍ଡର୍ସ ଭଳି ଦମ୍‌ଦାର୍‌ ଫିଚର୍‌ ରହିଛି। ଏପରିକି ଏଥିରେ ସନ୍‌ରୁଫ୍‌, ପୁଶ୍‌ ଷ୍ଟାର୍ଟ/ଷ୍ଟପ୍‌ ବଟନ୍‌, ସ୍ପିକର୍ସ, ବ୍ଲୋଅର, ଇନ୍‌ଷ୍ଟ୍ରୁମେଣ୍ଟ ଡିସ୍‌ପ୍ଲେ, ରିଭର୍ସ ପାର୍କିଂ କ୍ୟାମେରା ଆଦି ଫିଚର୍‌ ମଧ୍ୟ ରହିଛି।

ବ୍ୟାଟେରୀ ଓ ରେଞ୍ଜ୍‌ :

ୟାକୁଜା ଇଲେକ୍ଟ୍ରିକ୍‌ କାର୍‌ରେ 60v42ah କ୍ଷମତା ସମ୍ପନ୍ନ ବ୍ୟାଟେରୀ ରହିଛି। ଥରେ ଚାର୍ଜ ହେଲେ ଏହି କାର୍‌ ୫୦-୬୦ କିମି ଯାତ୍ରା କରିପାରିବ। କାର୍‌ ୦ରୁ ୧୦୦ ପ୍ରତିଶତ ଚାର୍ଜ ହେବା ପାଇଁ ୬-୭ ଘଣ୍ଟା ଲାଗିଥାଏ। ଇଲେକ୍ଟ୍ରିକ୍‌ କାର୍‌କୁ ଚାର୍ଜ କରିବା ପାଇଁ ଟାଇପ୍‌ ୨ ଚାର୍ଜର ମିଳିବ। ତେବେ ବର୍ତ୍ତମାନସୁଦ୍ଧା ଏହି କାର୍‌ର ବିକ୍ରି ଆରମ୍ଭ ହୋଇନାହିଁ।

ଯଦି ଆପଣ ଏହି କାର କିଣିବାକୁ ଚାହୁଁଛନ୍ତି ତେବେ ୟାକୁଜା ଇଭିର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ବୁକିଂ କରିପାରିବେ। ଏହି କାର୍‌ର ବଜାର ପ୍ରବେଶ ହେବା ପରେ ଲୋକମାନେ ଏକ ସୁଲଭ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଏକ ଉତ୍ତମ ବିକଳ୍ପ ପାଇବେ।

Comments are closed.