ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ ତେଲୁଗ ଦେଶମ ପାର୍ଟି (ଟିଡିପି) ସଭାପତି ତଥା ଅନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ ପହଞ୍ଚି ବିରୋଧଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଟିଡିପି ପକ୍ଷରୁ ସଂସଦରେ ଏନଡିଏ ସରକାରଙ୍କ ବିରୋଧରେ ଅଣାଯିବାକୁ ଥିବା ଅନସ୍ଥା ପ୍ରସ୍ତାବ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ଚନ୍ଦ୍ରବାବୁ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ବୋଲି ତାଙ୍କ ଦଳ ପକ୍ଷରୁ କୁହାଯାଇଛି । ମାତ୍ର ଏହାକୁ ମମତାଙ୍କ ପରେ ବିଜେପି ବିରୋଧୀ ମହାମେଣ୍ଟ କିମ୍ବା ତୃତୀୟ ସାମୁଖ୍ୟ ଗଠନ ପାଇଁ ଚନ୍ଦ୍ରବାବୁ ପ୍ରୟାସ ରୂପେ ଦେଖାଯାଉଛି । ଏ କ୍ରମରେ ମଙ୍ଗଳବାର ଓ ବୁଧବାର ମଧ୍ୟରେ ଚନ୍ଦ୍ରବାବୁ ନାଇଡୁ ଏନ୍ସିପି ମୁଖ୍ୟ ଶରଦ ପାୱାର, ନ୍ୟାସନାଲ ପ୍ରଣ୍ଟ ମୁଖ୍ୟ ପାରୁଖ୍ ଅବଦୁଲ୍ଲା, ତୃଣମୂଳ କଂଗ୍ରେସ ନେତା ଡେରାକ ଏବଂ ସୁଦୀପ୍ ବନ୍ଦୋପାଧ୍ୟାୟ, ସପା ନେତା ରାମଗୋପାଳ ଯାଦବ, ଏଆଇଏଡିଏମ୍କେ ସାଂସଦ କେଭି ମୈତ୍ରେୟନ, ସିପିଆଇର ଡି ରାଜା, ସିପିଆଇଏମ୍ର ମୋମ୍ମଦ ସଲିମ, ଟିଆରଏସ୍ର ଜିତେନ୍ଦ୍ର ରେଡ୍ଡି, ବିଜେଡି ସାଂସଦ ହରେକୃଷ୍ଣ ମହତାବଙ୍କ ସମେତ କଂଗ୍ରେସ ଏବଂ ଶିବସେନାର ନେତାଙ୍କୁ ଭେଟିଛନ୍ତି । ବୁଧବାର ଚନ୍ଦ୍ରବାବୁ ନାଇଡୁ ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜେରିୱାଲଙ୍କୁ ଭେଟିଥିଲେ । ସାକ୍ଷାତକାର ପରେ କେବଳ ଆନ୍ଧ୍ରପ୍ରଦେଶ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ବୋଲି ଚନ୍ଦ୍ରବାବୁ କହିଛନ୍ତି । ସେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଓ ଏନ୍ଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ ବୋଲି ପ୍ରକାଶ କରିଛନ୍ତି । ଏନଡିଏ ସହ ସମ୍ପର୍କ ଚ୍ଛିନ୍ନ କରିବା ପରେ ଚନ୍ଦ୍ରବାବୁ ଟିଏମ୍ସି ମୁଖ୍ୟ ମମତାଙ୍କୁ ଭେଟି ବିଜେପି ଓ କଂଗ୍ରେସକୁ ବାଦ ଦେଇ ଏକ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ ମମତାଙ୍କ ପରେ ଚନ୍ଦ୍ରବାବୁ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି ।
Popular Categories



