ଚୌଦ୍ୱାର: ବିଭିନ୍ନ ସ୍ଥାନରୁ ମଟର ସାଇକେଲ୍ ଲୁଟ କରୁଥିବା ୩ ଜଣ କୁଖ୍ୟାତ୍ ଲୁଟେରାଙ୍କୁ ଚୌଦ୍ୱାର ପୁଲିସ୍ ଧରିବା ସହିତ ସେମାନଙ୍କ ନିକଟରୁ ୬ଟି ଚୋରି ମଟର ସାଇକେଲ୍ ଜବତ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୌଦ୍ୱାର ୧୨ ନମ୍ବର ୱାର୍ଡ଼ ଓଟିଏମ୍ କଲୋନୀର ହେମନ୍ତ ଦୋରା(୨୪), ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗ୍ରାମର ସ୍ମୃତି ରଞ୍ଜନ ପ୍ରଧାନ(୨୫) ଓ ଖୋର୍ଦ୍ଧା ଜିଲା ଖଣ୍ଡଗିରି ଥାନା ତପୋବନ ବସ୍ତିର ସୁବାଶିଷ ପଟ୍ଟନାୟକ। ସେମାନଙ୍କ ନିକଟରୁ ହିରୋ କମ୍ପାନୀର ୬ଟି ଚୋରି ମଟର ସାଇକେଲ୍ ଜବତ କରାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ ଭୁବନେଶ୍ୱର ସତ୍ୟ ନଗରର ହେମନ୍ତ ପ୍ରଧାନ ଗତ ୨୫ ତାରିଖରେ କରିଥିବା ଅଭିଯୋଗ ଅନୁଯାୟୀ ସେ ୨୪ ତାରିଖ ସଂଧ୍ୟାରେ ଢ଼େଙ୍କାନାଳରୁ କଟକ ଅଭିମୁଖେ ଯାଉଥିବାବେଳେ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ନୁନ୍ଟିକିରୀ ଠାରେ ରାସ୍ତା ଉପରେ ନିଜ ହିରୋ ସ୍ପେ୍ଲଣ୍ଡର ମଟର ସାଇକେଲ୍କୁ ରଖି ରାସ୍ତା ପାଖକୁ ଶୌଚ ହେବାକୁ ଯାଇଥିଲେ। ଫେରିଲା ପରେ ତାଙ୍କ ମଟର ସାଇକେଲକୁ କେହି ନେଇଯାଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ବିଶେଷ ସୁତ୍ରରୁ ଖବର ପାଇ ପୁଲିସ୍ ମଟର ସାଇକେଲ୍ ଲୁଟେରା ହେମନ୍ତ ଓରଫ ଝୁନା ଓ ସୁବାଶିଷକୁ ଥାନାକୁ ଆଣି ପଚରା ଉଚରା କରିବାରେ ସେମାନେ ଉକ୍ତ ଚୋରି ମଟର ସାଇକେଲକୁ ଚୋରି କରିଥିବା ସ୍ୱିକାର କରିବା ସହିତ ଅନ୍ୟ ବିଭିନ୍ନ ସ୍ଥାନରୁ ମଟର ସାଇକେଲ୍ ଚୋରି କରିଥିବା ଏବଂ ୨ଟି ମଟର ସାଇକେଲ୍୍ ତାଙ୍କର ଅନ୍ୟଜଣେ ସହଯୋଗୀ ସ୍ମୃତି ରଞ୍ଜନ ପାଖରେ ଥିବା କହିଥିଲେ। ପୁଲିସ୍ ଚଢ଼ଉ କରି ଝୁନା ଘରୁ ୨ଟି ଓ ହେମନ୍ତଙ୍କ ମଟର ସାଇକେଲ୍୍ ସହିତ ୨ଟି ମଟର ସାଇକେଲ୍ ଉଦ୍ଧାର କରିଥିଲେ।
ଏଥି ସହିତ ସେମାନଙ୍କ ସୂଚନା ମତେ ମଙ୍ଗୁଳିସ୍ଥିତ ଏକ ପରିତ୍ୟକ୍ତ ଘରୁ ମଧ୍ୟ ୨ଟି ମଟର ସାଇକେଲ୍ ଉଦ୍ଧାର କରିଥିଲେ ।ମାଷ୍ଟର ମାଇଣ୍ଡ ହେମନ୍ତ ନାମରେ ଚୌଦ୍ୱାର ଥାନାରେ ପୂର୍ବରୁ ୧୬ଟି ଅପରାଧିକ ମାମଲା ଥିବା ପୁଲିସ୍ ୍ ସୂଚନା ଦେଇଛି ।ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।



