କୋଭିଡର ନୂଆ ପ୍ରକରଣକୁ ନେଇ ଦେଶରେ ପୁଣି ବଢିଲା ସଂକ୍ରମଣ ଭୟ; ସମସ୍ତ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ବ୍ୟାପିବା ଆଶଙ୍କା କ୍ରମଶଃ ଘନିଭୂତ ହେବାରେ ଲାଗିଛି । ୟୁରୋପର ଅନେକ ରାଷ୍ଟ୍ର ସମେତ ଆମେରିକା, ରୁଷ ଆଦି ରାଷ୍ଟ୍ରରେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଥିବାବେଳେ କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିପାଇଁ ପୂର୍ଣ୍ଣ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଜନସାଧାରଣ କୋଭିଡ କଟକଣା ପୂର୍ଣ୍ଣ ଭାବରେ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ବୋତସ୍ୱାନାରେ ୩, ଦକ୍ଷିଣ ଆଫ୍ରିକାରେ ୬ ଏବଂ ହଂକଂରେ ଗୋଟିଏ ପ୍ରକାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହି ପ୍ରକରଣକୁ ନେଇ ସଜାଗ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁବାର ଦିନ ସତର୍କ ସୂଚନା ଜାରି କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନଙ୍କ ନିକଟକୁ ପତ୍ରଲେଖି କହିଛନ୍ତି, ଏହି ତିନିଟି ରାଷ୍ଟ୍ରରେ କୋଭିଡ-୧୯ର ବି.୧.୧.୫୨୯ ପ୍ରକରଣର ଏକାଧିକ ସଂକ୍ରମଣ ଘଟଣା ଲକ୍ଷ୍ୟ କରାଯାଇଛି । ସେଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ସମସ୍ତ ଆନ୍ତର୍ଜାତିକ ଯାତ୍ରୀଙ୍କୁ କଡାକଡି ଭାବରେ ଯାଞ୍ଚ କରିବାର ଆବଶ୍ୟକତା ରହିଛି । ବିଶେଷକରି ଦକ୍ଷିଣ ଆଫ୍ରିକା, ବୋତସ୍ୱାନା ଏବଂ ହଂକଂରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତିନିଟି ରାଷ୍ଟ୍ରରୁ ଆସୁଥିବା ଅଥବା ଏହି ତିନିଟି ରାଷ୍ଟ୍ରଦେଇ ଭାରତକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ନମୁନା ଯାଞ୍ଚ କରିବାକୁ କୁହାଯାଇଛି । ସେ କହିଛନ୍ତି ଯେ ଏହି ପ୍ରକାର ପ୍ରକରଣରେ ଭୂତାଣୁ ବାରମ୍ବାର ନିଜର ରୂପ ବଦଳାଉଥିବାରୁ ଦେଶର ଜନସ୍ୱାସ୍ଥ୍ୟ ଉପରେ ତାହାର ଗୁରୁତର ପ୍ରଭାବ ପଡିବା ଆଶଙ୍‍ାକ ସୃଷ୍ଟି ହୋଇଛି । ସରକାର ନିକଟରେ ଭିସା କଟକଣାକୁ କୋହଳ କରିବା ସହିତ ଆନ୍ତର୍ଜାତିକ ଯାତ୍ରାକୁ ଉନ୍ମୁକ୍ତ କରିବା ପରେ ଭାରତ ପାଇଁ କରୋନାର ଆଉ ଏକ ଲହରର ବିପଦ ଘନେଇବାରେ ଲାଗିଛି ।

Comments are closed.