ଫ୍ଲିପ୍‍କାର୍ଟ ଏବଂ ଆମାଜନର କ୍ୟାସ ଅନ ଡେଲିଭରି ପ୍ରଣାଳୀ ବୈଧ ନୁହେଁ : ଆରବିଆଇ

0

ନୂଆଦିଲ୍ଲୀ : ଭାରତରେ ଅନ ଲାଇନ ବ୍ୟବସାୟ କରୁଥିବା ଫ୍ଲିପ୍‍କାର୍ଟ ଏବଂ ଆମାଜନରୁ କ୍ୟାସ ଅନ ଡେଲିଭରି (ଜିନିଷ ଦେବା ବେଳେ ଅର୍ଥ ଗ୍ରହଣ କରିବା) ମାଧ୍ୟମରେ କୌଣସି ସାମଗ୍ରୀ କିଣିବା ବୈଧ ନୁହେଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି। ସୂଚନା ଅଧିକାର ଆଇନ ଅନୁସାରେ ଆରବିଆଇକୁ ଇ-କମର୍ସର କ୍ୟାସ ଅନ ଡେଲିଭରି ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଏହାର ଉତ୍ତରରେ ଆରବିଆଇ କହିଛି ଯେ ଦେୟ ଏବଂ ବ୍ୟବସ୍ଥାଗତ ପ୍ରଣାଳୀ (ପିଏସ୍‍ଏସ୍‍) ୨୦୦୭ ଆଇନ ଧାରା ୮ ଅନୁସାରେ ଆମାଜନ ଏବଂ ଫ୍ଲିପ୍‍କାର୍ଟ ଭଳି କମ୍ପାନୀ ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ବୈଧ ନୁହେଁ। ଅର୍ଥାତ କ୍ୟାସ ଅନ ଡେଲିଭରି ବ୍ୟବସ୍ଥା ବୈଧ ନୁହେଁ। ଉଲ୍ଲେଖ ଯେ ଫ୍ଲିପକାର୍ଟ ଏବଂ ଆମାଜନ ଭଳି ଅନଲାଇନ ବ୍ୟବସାୟ କରୁଥିବା କମ୍ପାନୀମାନେ ତୃତୀୟ ପକ୍ଷ ବ୍ୟବସାୟୀଙ୍କ ପାଇଁ ଗ୍ରାହକଙ୍କଠାରୁ ଅର୍ଥ ଆଦାୟ କରିଥାନ୍ତି। କ୍ୟାସ ଅନ ଡେଲିଭରି (ସିଓଡି) ବ୍ୟବସ୍ଥା ଅନୁସାରେ ସାମଗ୍ରୀ ପାଇଁ ବରାଦ ଦେବାବେଳେ ଅର୍ଥ ନଦେଇ ଗ୍ରାହକମାନେ ସମାଗ୍ରୀ ପାଇବାକ୍ଷଣି ଅର୍ଥ ପ୍ରଦାନ କରିଥାନ୍ତି। ଫ୍ଲିପ୍‍କାର୍ଟ ଏବଂ ଆମାଜନ ଭଳି ଇ-କମର୍ସ କମ୍ପାନୀ ତୃତୀୟ ପକ୍ଷ (ଅନ୍ୟ ଏକ କମ୍ପାନୀ ବା ଦୋକାନ)ରୁ ଜିନିଷ ନେଇ ଗ୍ରାହକଙ୍କୁ ପ୍ରଦାନ କରିଥାନ୍ତି। ଗ୍ରାହକ ଜିନିଷ ପାଇବାକ୍ଷଣି ତାର ମୂଲ୍ୟ ପ୍ରଦାନ କରିଥାନ୍ତି। ଏନେଇ ଅଖିଳ ଭାରତୀୟ ଅନଲାଇନ ବ୍ୟବସାୟୀ ସଂଘ (ଆଇଓଭିଏ) ମୁଖପାତ୍ର କହିଛନ୍ତି ଯେ ଅର୍ଥ ସିଧାସଳଖ ଭାବେ ଇ-କମର୍ସ କମ୍ପାନୀ ଗ୍ରହଣ କରିନଥାଏ। କମ୍ପାନୀ ପକ୍ଷରୁ ଏକ କୋରିଅର କମ୍ପାନୀ ଏହି ଅର୍ଥ ଗ୍ରହଣ କରିଥାଏ। କୋରିଅର କମ୍ପାନୀଠାରୁ ଅର୍ଥ ପାଇବା ପରେ ଇ-କମର୍ସ କମ୍ପାନୀ ସେହି ଅର୍ଥକୁ ତୃତୀୟ ପକ୍ଷ ବ୍ୟବସାୟୀଙ୍କ ନିକଟକୁ ପଠାଇଥାଏ। ଏହା ଏକ ଲମ୍ବା ଶୃଙ୍ଖଳ, ଯେଉଁଥିରେ ଗ୍ରାହକଠାରୁ ଅର୍ଥ ବିଭିନ୍ନ ହାତ ଦେଇ ଉତ୍ପାଦକ ନିକଟରେ ପହଞ୍ଚିଥାଏ। ବିଭିନ୍ନ ଇ-କମର୍ସ କମ୍ପାନୀ ନିକଟରେ ପ୍ରାୟ ୩,୫୦୦ ବିକ୍ରେିତା ଓ ବେପାରୀ କାର୍ଯ୍ୟ କରୁଛନ୍ତି।

Leave A Reply