www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶା କର୍କଟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର

ବାରଙ୍ଗ/ନରାଜ : କର୍କଟ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ। ରାଜ୍ୟର ଗରିବ କର୍କଟ ରୋଗୀଙ୍କୁ ଆଉ ମୁମ୍ବଇ କି ବେଙ୍ଗାଲୁରୁ ଯିବାକୁ ପଡିବିନି। ବାରଙ୍ଗ ବ୍ଲକ ଅନ୍ତର୍ଗତ ରତାଗଡ଼ଠାରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ର ଭିତ୍ତିପ୍ରସ୍ତର ସ୍ଥାପନ କରି ଏହା କହିଛନ୍ତି। ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୫ ଏକର ଜମି ଯୋଗାଇ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୮୦୦ କୋଟି ଟଙ୍କା ବ୍ୟୟ କରାଯିବ। ଏଠାରେ ରୋଗୀ ସେବା ସହ କର୍କଟ ଉପରେ ଗବେଷଣା କରାଯିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ଣ ୧୧ଟାରେ ହେଲିକପ୍ଟର ଯୋଗେ ରତାଗଡ଼ ଖେଳ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ପ୍ରସ୍ତାବିତ ହସ୍ପିଟାଲସ୍ଥଳକୁ ଯାଇ ଶିଳାନ୍ୟାସ କରିଥିଲେ। ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟ ସରକାର ଗରିବଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଟାଟା ଗ୍ରୁପ୍‍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବେ। ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ କର୍କଟ ଚିକିତ୍ସା ପାଇଁ ଆଉ ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବନି। କର୍କଟ ଚିକିତ୍ସା ପାଇଁ ରାଜ୍ୟରେ ଅତ୍ୟାଧୁନିକ ହସ୍ପିଟାଲ ନଥିବାରୁ ବହୁ ରୋଗୀ ରାଜ୍ୟ ବାହାରକୁ ଯାଉଛନ୍ତି। ଏଥିପାଇଁ ଆର୍ଥିକ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଦୈନିକ ଶହଶହ ଆବେଦନ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଏକ ଉନ୍ନତମାନର ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇ କହିଲେ, ରାଜ୍ୟ ସରକାର ବିନା ମୂଲ୍ୟରେ ହସ୍ପିଟାଲ ପାଇଁ ଜମି ଯୋଗାଇ ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୮ଶହ କୋଟି ଟଙ୍କା ବିନିଯୋଗ କରାଯିବ। ଏଠାରେ ଚିକିତ୍ସାସେବା ସହିତ କର୍କଟ ରୋଗ ଉପରେ ଗବେଷଣା କରାଯିବ। ଏତଦ୍‌ବ୍ୟତୀତ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ମଧ୍ୟ ଖୋଲାଯିବାର ବ୍ୟବସ୍ଥା ରହିଛି। ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା କହିଲେ ଏହି ହସ୍ପିଟାଲକୁ ବିଶ୍ୱସ୍ତରୀୟ କରାଯିବ। ସମସ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା ସୁବିଧା ମିଳିବ। ଟାଟା ଗ୍ରୁପ୍‌ ଓଡ଼ିଶା ସରକାରଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗିତା କରି ଆସିଛି। ଆଗକୁ ଏହା ଜାରି ରହିବ ବୋଲି କହିଥିଲେ। ପ୍ରାରମ୍ଭରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସ୍ୱାଗତ ଭାଷଣ ଓ ହସ୍ପିଟାଲ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଟାଙ୍ଗୀ-ଚୌଦ୍ୱାର ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ବାରଙ୍ଗ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ରାଉତ, ବାରଙ୍ଗ ବ୍ଲକ ବିଜେଡି ସଭାପତି ଅମିୟ କୁମାର ସାମନ୍ତରାୟ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

Related Articles

Popular Categories