ବିକାଶ ରାସ୍ତାରେ ବାଧକ ମମତା ଦିଦି – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କୋଲକାତା: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଚାରରେ କେବଳ ନେତା କି ଅଭିନେତା ନୁହନ୍ତି ବରଂ ତାରକା ପ୍ରଚାରକ ମଧ୍ୟ ସାମିଲ ହୋଇଛନ୍ତି। ଭୋଟର ମାନଙ୍କୁ ଆକର୍ଷିତ କରିବା ପାଇଁ ସାଧାରଣ ସଭା, ରାଲୀ ଓ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ ମଧ୍ୟ ଚାଲିଛି।

ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପଶ୍ଚିମବଙ୍ଗର କୋଲକାତା ଏବଂ ସିଲିଗୁଡିରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ୭୦ଲକ୍ଷ କୃଷକ ପରିବାରର ବିକାଶ ଦିଗରେ ପ୍ରତିବନ୍ଧକ ସାଜି ଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମିଳିତ ଗଣତାନ୍ତ୍ରିକ ମେଣ୍ଟ -ଏନଡିଏ ସରକାରଙ୍କ ପାଞ୍ଚ ବର୍ଷର ସଫଳତା ବର୍ଣନା କରିବା ସହ ପଶ୍ଚିମବଙ୍ଗ ବିକାଶ ଠାରୁ ବହୁ ପଛରେ ଥିବା କହିଛନ୍ତି। କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ସୁରକ୍ଷା ବଳ ସ୍ୱତନ୍ତ୍ର କ୍ଷମତା ଆଇନର ସମୀକ୍ଷା ବିଷୟକୁ ସେ ସମାଲୋଚନା କରି କହିଛନ୍ତି ଯେ ଏହି ଆଇନ ସୁରକ୍ଷା କବଚ ଭଳି କାମ କରୁଛି।

ସେହିପରି ୧୦୦୦ଦିନରେ ୧୮୦୦୦ ଗାଁକୁ ବିଜୁଳି ସଂଯୋଗ ତାଙ୍କ ସରକାରଙ୍କ ଉପଲବ୍ଧି ବୋଲି ମୋଦୀ ଅରୁଣାଚଳ ପ୍ରଦେଶର ପଶିଘାଟରେ ଆୟୋଜିତ ସଭାରେ କହିଛନ୍ତି । ଉତ୍ତରାଖଣ୍ଡର ଉତ୍ତରକାଶୀରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଯେ ବିଜେପି ସରକାର ଗୋଟିଏ ରାଙ୍କ ଗୋଟିଏ ପେନସନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସାମର କାଳିଆବୋରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କଂଗ୍ରେସ ସରକାରକୁ ଆସିଲେ ଗରିବ ପରିବାରକୁ ପାଞ୍ଚ ବର୍ଷରେ ୩ଲକ୍ଷ ୬୦ ହଜାର ଟଙ୍କା ସହାୟତା ଦେବା ବୋଲି ଘୋଷଣା କରିଛନ୍ତି।

Comments are closed.