ବୁର୍ଲା: ବୁର୍ଲା ଭିମସାର ମେଡ଼ିକାଲ କଲେଜରେ ଜଳ ସମସ୍ୟା ଫଳରେ ପରୀକ୍ଷା ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ମେଡ଼ିକାଲ କଲେଜରେ ରହିଥିବା ମାଇକ୍ରୋବାୟୋଲୋଜି ବିଭାଗରେ ଜଳ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳୁଛି। ଏପରିକି ଜଳ ସମସ୍ୟା ବିଷୟରେ ତଦାରଖ କରାଯିବା ବେଳକୁ ପାଥୋଲୋଜି ବିଭାଗ ପଛପାଖରେ ରହିଥିବା ପାଣି ପାଇପ ଏବଂ ତାର ମାନ ଚୋରି ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏପରିକି ଏହି ସଂକ୍ରାନ୍ତରେ ବିଭାଗୀୟ ମୁଖ୍ୟ ଏବଂ ଭିମସାର କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ପାନୀୟ ଜନସ୍ୱାସ୍ଥ୍ୟ ବିଭାଗୀୟ ଏସଡ଼ିଓଙ୍କୁ ଟେଲିଫୋନ ମାଧ୍ୟମରେ ପାଥୋଲୋଜି ବିଭାଗୀୟ ମୁଖ୍ୟଙ୍କ ତରଫରୁ ଅବଗତ ମଧ୍ୟ କରାଯାଇଥିଲା। ମାତ୍ର ଅବସାଦର ବିଷୟ ହେଲା ବିଭାଗୀୟ ଏସଡ଼ିଓ ତାକୁ ସଜାଡ଼ିବା ପାଇଁ ସ୍ପଷ୍ଟ ଭାବରେ ମନା କରି ଦେଇଥିବା ଅଭିଯୋଗ ହୋଇଛି। ବିନା ଜଳରେ ବିଭାଗରେ ଗୁରୁତ୍ୱପୁର୍ଣ୍ଣ ପରୀକ୍ଷା ନିରୀକ୍ଷା ମାନ ବାଧାପ୍ରାପ୍ତ ହେଉଛି। ଏପରିକି ପରୀକ୍ଷା ଉପକରଣମାନ ମଧ୍ୟ ସଫା କରାଯାଇ ପାରି ନ ଥିଲା। ଏ ସମ୍ପର୍କରେ ଭିମସାରର ମାଇକ୍ରୋବାୟୋଲୋଜି ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଦିପ୍ତିକାନ୍ତ ପଟ୍ଟନାୟକ ଏହି ଅସଙ୍ଗତିର ସମାଧାନ ପାଇଁ ଭିମସାର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ସୂଚନା ଥାଉକି, ବର୍ତ୍ତମାନର ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଭାବଗ୍ରାହୀ ରଥ ଏହି ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟ ରହିଥିଲେ ଏବଂ ଏହି ଭାର ଷ୍ଟୋର ମେଡ଼ିକାଲ ଅଧିକାରୀ ଡାକ୍ତର ଅଶୋକ ପାଣିଗ୍ରାହୀଙ୍କୁ ହସ୍ତାନ୍ତର କରାଯାଇଛି।
Popular Categories



