ଆର୍ଦ୍ରଭୂମି ସଂରକ୍ଷଣ ଓ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ, ଆନ୍ତର୍ଜାତିକ ରାମସାର ପ୍ରକଳ୍ପ​‌ରେ ସାମିଲ ହେଲା ହୀରାକୁଦ

ବୁର୍ଲା: ସ୍ଥାନୀୟ ବୁର୍ଲା ଅଶୋକ ନିବାସ ଠାରେ ‘ଆଜାଦୀର ଅମୃତ ମହୋତ୍ସବ’ ବା “ଅକମ୍” ହୀରାକୁଦ ନଦୀବନ୍ଧ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା​‌ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଜଳ ଆୟୋଗ ବୁର୍ଲା ଶାଖାର ନିର୍ବାହୀ ଯନ୍ତ୍ରୀ ଉପାନନ୍ଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

prayash

ଆୟୋଜିତ ସଭାରେ ଅତିଥିମାନେ କହିଥିଲେ ଯେ, ଆର୍ଦ୍ରଭୂମିର ଉନ୍ନତିକରଣ ବବିଶ୍ବସ୍ତରରେ ଜାରି ରହିଥିବା ପ୍ରକଳ୍ପ ମଧ୍ୟରେ ହୀରାକୁଦ ବନ୍ଧ ଚଳିତ ବର୍ଷ ସାମିଲ ହୋଇଛି। ଓଡ଼ିଶାରେ ୬ଟି ରାମସାର ସାଇଟ୍‌ ଥିବା ସେ ମଧ୍ୟରେ ହୀରାକୁଦକୁ ସାମିଲ କରାଯିବା ହେତୁ ବିଶ୍ବସ୍ତରରେ ହୀରାକୁଦ ପରିପାର୍ଶ୍ବର ପର୍ଯ୍ୟଟନ ବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ। ହୀରାକୁଦ ଏଥିରେ ସାମିଲ ହେବା ପରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସି​‌‌ବେ। ଯାହାଫଳ​‌ରେ ସାଂସ୍କୃତିକ ଆଦାନ ପ୍ରଦାନ ହୋଇପାରିବ। ଏଥି ଯୋଗୁଁ ଆଜୀବିକାର ସମ୍ଭାବନା ବୃଦ୍ଧି ପାଇବ। ହୀରାକୁଦ ନିର୍ମାଣ ସମୟରେ ସବୁଠାରୁ ବଡ଼ ଆଭିମୁଖ୍ୟ ଥିଲା ବନ୍ୟା ନିୟନ୍ତ୍ରଣ । ହେଲେ ଏହାର ବିସ୍ତୀର୍ଣ୍ଣ ଜଳରାଶି, ପରିପାର୍ଶ୍ବସ୍ଥ ସୁନ୍ଦର ପରିପାର୍ଶ୍ବ ଗୋଟିଏ ପଟରେ ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ଅନ୍ୟପଟରେ ସମ୍ବଲପୁର ସହର ଅଶେଷ ପର୍ଯ୍ୟଟନ ସମ୍ଭାବନା ସୃଷ୍ଟି କରିଛି। ଏହାମଧ୍ୟରେ ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରକୃତି ନିବାସ, ପ୍ରକୃତି ପର୍ଯ୍ୟଟନ, ଫଟୋଗ୍ରାଫି, ଟ୍ରାକିଂ, ନଦୀବନ୍ଧରେ ନୌକାବିହାର, ସବୁ ଦିନିଆ ଜଳକ୍ରୀଡ଼ା ସ୍ଥଳ, ସୁନ୍ଦର ଉଦ୍ୟାନ, ଦୁଇ ମୀନାର, ରୋପ୍ ୱେ, ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ଆଗମନ ଆଦି ଅନେକ କିଛି ରହିଛି ଯାହାକି ସ୍ଥାନୀୟ ଲୋକଙ୍କ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ତେବେ ଏହାକୁ ନେଇ ଅଧିକ ଜନସଚେତନତା କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ସଭାପରେ ବୁର୍ଲା ଭାରତୀ କଳାବିକାଶ ପରିଷଦ, ବୁର୍ଲା ବାଳକ ଉଚ୍ଚବିଦ୍ୟାଳୟ, ବାଳିକା​‌ ଉଚ୍ଚବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପାରର୍ଫର୍ମିଂ ଆର୍ଟସ କଳାକାର ମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ “ପ୍ରକୃତି ଓ ମଣିଷ” ସହିତ ଛାତ୍ରଛାତ୍ରୀ ଚିିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବୁର୍ଲାର ଚିତ୍ତରଞ୍ଜନ ନାୟକ ଓ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଳେ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ସମୟରେ ମହାନଦୀ ଆରତୀ ବେଶ୍ ଚିତ୍ତାକର୍ଷକ ହୋଇଥିଲା। କେନ୍ଦ୍ର ଜଳ ଆୟୋଗ ଭୁବନେଶ୍ବର ଓ ଓଡ଼ିଶା ଜଳସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କାର୍ଯକ୍ରମ ପରିଚାଳନା କରିଥିଲେ।

ଏଥିରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ମୁଖ୍ୟବକ୍ତା, ହୀରାକୁଦ ବଣ୍ୟପ୍ରାଣୀ ବିଭାଜନ ଡିଏଫଓ ଅଂଶୁପ୍ରଜ୍ଞା ଦାସ, ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା​‌ ପ୍ରଫେସର ସଂଯୁକ୍ତା​‌ ଦାସ, ଜି​‌ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ, ମୁଖ୍ୟବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ, କେନ୍ଦ୍ରୀୟ ଜଳ ଆୟୋଗ ଓଡ଼ିଶା ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.