୨ ଲୁଟିଆ ଗିରଫ, ଲକ୍ଷାଧିକ ଟଙ୍କା ସମେତ ମୋଟର ସାଇକେଲ ଜବତ
ବୁର୍ଲା: ସ୍ଥାନୀୟ ବୁର୍ଲା ପୁଲିସ ୨ ଜଣ ଲୁଟିଆଙ୍କୁ ଗିରଫ କରିଛି। ପୁଲିସର ସୂଚନାନୂଯାୟୀ, ଗତ ୨୯ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସୌମ୍ୟଜିତ ମାଝୀ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଉଠାଣ କରି ତାଙ୍କର ବାଇକ ଡିକିରେ ରଖି ଘରକୁ ଯାଉଥିଲେ। ବୁର୍ଲା ଥାନା ଅନ୍ତର୍ଗତ ଚାଉଁରପୁର ବ୍ରିଜ ନିକଟରେ ଶ୍ରୀ ମାଝୀ ଗାଡି ଅଟକାଇ ପରିଶ୍ରା ଯିବା ପରେ ପାଖରେ ଥିବା ଦୋକାନରୁ ଚାହା ପାନ କରିଥିଲେ।
ଏହାର ସୁଯୋଗ ନେଇ ବ୍ୟାଙ୍କରୁ ଶ୍ରୀ ମାଝୀଙ୍କୁ ପିଛା କରୁଥିବା ଗଞ୍ଜାମ ଜିଲା ପକାଲାପାଲି ନିବାସୀ ଏମ. ମୁନା (୨୩) ଓ ଧିରୁ ଦାସ (୨୩) ଗାଡିର ଡିକିକୁ ଭାଙ୍ଗି ସେଠାରେ ରଖାଯାଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ, ଆଧାର କାର୍ଡ, ଚେକ ବୁକ ଆଦି ଲୁଟି ଫେରାର ମାରିଥିଲେ। ଶ୍ରୀ ମାଝୀ ଗାଡି ନିକଟକୁ ଆସିବା ପରେ ଲୁଟ ସମ୍ପର୍କରେ ଜାଣିବା ପରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ।
ଏଣୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ସମୟରେ ୧ ଲକ୍ଷ ୫ ହଜାର ଟଙ୍କା, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ଆଦିକୁ ଉଦ୍ଧାର କରିବା ସହିତ ଅପରାଧରେ ବ୍ୟବହୃତ ମୋଟର ସାଇକେଲ, ୨ଟି ମୋବାଇଲ ଫୋନ, ଡିକି ଭାଙ୍ଗିବା ପାଇଁ ଥିବା ଏକ ଲୁହାର ‘ଟି’ ଜବତ କରି ଲୁଟିଆ ମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲୁଟିଆ ମାନଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ପୁଲିସ କହିଛି।
Comments are closed.