www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ବାସ୍ଥ୍ୟସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି : ମୁଖ୍ୟମନ୍ତ୍ରୀ

ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ  

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ

ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ 

ମୟୁରଭଞ୍ଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବାପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ ଜାରି ରହିଛି 

ଭୁବନେଶ୍ବର/ ବାରିପଦା : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଶୁକ୍ରବାର ୟୁରଭଞ୍ଜ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ଲୋକ ଏହି ସୁବିଧା ପାଇବେ। ପୂର୍ବରୁ ରାଜ୍ୟର ୬ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେପ୍ଟେମ୍ବର ୨୦୨୧ ଓଡିଶାର ସ୍ବାସ୍ଥ୍ୟ ସେବା ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଛି । ସେପ୍ଟେମ୍ବର ପହିଲାରୁ ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ସ୍ବାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଛି। ଏହି କାର୍ଡଟି ବିପଦ ସମୟର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଏହାଦ୍ବାରା ଜନସାଧାରଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
 ମୁଖ୍ୟମନ୍ତ୍ରୀ କହିଲେ ଯେ  ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ।  ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା  –  ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।
ମୟୁରଭଞ୍ଜ ଜିଲ୍ଲାରେ ବିକାଶ କାମକୁ ତ୍ବରାନ୍ବିତ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ଜୁଲାଇରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ କେନାଲରୁ  ପାଣି ଛଡା ଯାଇଥିବା ବେଳେ,  ୯୪ଟି ଗାଁର ୧୫ ହଜାର ହେକ୍ଟର ଜମି ପାଣି ପାଉଛି। ସେହିପରି ମୟୁରଭଂଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦେବା ପାଇଁ ୩୨୦୦ କୋଟି ଟଙ୍କାର ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଧାରାକୁ ଆଗେଇ ନେଇ ଆଜି ଆହୁରି ୨୩୦୦ କୋଟି ଟଙ୍କାର ୫୦୦ରୁ ଅଧିକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜ ମାଟିରେ ଜନ୍ମ ନେଇଥିବା ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ମନେ ପକାଇବା ସହ ଭାଷା ଓ ଜାତିକୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁ, ଗୁରୁ ରୋହିଦାସ ସିଂ ନାଗ ଓ ଗୁରୁ ଲାକୋ ବଦ୍ରାଙ୍କ ଅବଦାନକୁ ସ୍ମରଣ କରିଥିଲେ। ମୟୁରଭଞ୍ଜର କଳା ଓ ସାହିତ୍ୟର ଉଚ୍ଚପ୍ରଶଂସା କରି  ଝୁମର ଗୀତ ଓ ଛଉ ନାଚର ପ୍ରସିଦ୍ଧି ସଂପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶା କରୋନା ସମୟରେ ୧୮ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଥିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories