ପ୍ରତିଶୋଧ ନେଲା ବିଏସ୍ଏଫ୍, ପାକିସ୍ତାନ ବଙ୍କର ଧ୍ୱଂସ
ଶ୍ରୀନଗର/ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ସୁରକ୍ଷା କର୍ମୀଙ୍କ ସମେତ ୫ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ସୀମା ସୁରକ୍ଷା ବଳ (ବିଏସ୍ଏଫ୍)। ବିଏସ୍ଏଫ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର କେତେକ ବଙ୍କର ଧ୍ୱଂସ ହୋଇଯାଇଛି ଓ ଜଣେ ରେଞ୍ଜର୍ସ ପ୍ରାଣ ହରାଇଛନ୍ତି। ବିଏସ୍ଏଫ ପକ୍ଷରୁ ପାକିସ୍ତାନ ବଙ୍କର ନଷ୍ଟ ହେବାର ଏକ ୧୯ ସେକେଣ୍ଟର ଥର୍ମାଲ ଭିଡ଼ିଓ ଫୁଟେଜ ଜାରି କରାଯାଇଛି। ବିଏସ୍ଏଫ୍ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ରେଞ୍ଜର୍ସ ରବିବାର ଗୁଳିଗୋଳା ବର୍ଷଣ ବନ୍ଦ କରିବାକୁ ପ୍ରାର୍ଥନା କରିଛି। ରବିବାର ପାକିସ୍ତାନ ରେଞ୍ଜର୍ସ ଜାମ୍ମୁ ବିଏସ୍ଏଫକୁ ଫୋନ୍ କରି ଆନ୍ତର୍ଜାତିକ ସୀମାରେ ଗୁଳିଗୋଳା ବର୍ଷଣ ବନ୍ଦ କରିବାକୁ ପ୍ରାର୍ଥନା କରିଥିବା ଜଣେ ବିଏସ୍ଏଫ୍ ଅଧିକାରୀ ସୂଚନା ଦେଇଛନ୍ତି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନର ଏହା ଜବାବୀ କାର୍ଯ୍ୟାନୁଷ୍ଠାନ ବୋଲି ବିଏସ୍ଏଫ ଅଧିକାରୀ ପାକିସ୍ତାନ ରେଞ୍ଜର୍ସଙ୍କୁ ଉତ୍ତର ଦେଇଛନ୍ତି। ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତର ଗୋଟିଏ ଦିନ ପୂର୍ବରୁ ମେ’ ୧୮ରେ ପାକିସ୍ତାନ ରେଞ୍ଜର୍ସଙ୍କ ଆନ୍ତର୍ଜାତିକ ସମୀାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ। ଏଥିରେ ଜଣେ ବିଏସ୍ଏଫ ଯବାନଙ୍କ ସମେତ ୫ ଭାରତୀୟ ନାଗରିକ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ମେ’ ୧୫ରେ ପାକିସ୍ତାନ ଗୁଳିରେ ଜଣେ ବିଏସ୍ଏଫ କନଷ୍ଟେବଳ ସହିଦ ହୋଇଥିଲେ। ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ବିଏସ୍ଏଫ ପାକିସ୍ତାନ ରେଞ୍ଜର୍ସର କେତେକ ବଙ୍କର ଉଡ଼ାଇ ଦେଇଛି। ବିଏସ୍ଏଫ୍ ଗୁଳିରେ ଶନିବାର ଅକନୁର ସୀମା ରେଖା ନିକଟରେ ଜଣେ ପାକିସ୍ତାନ ରେଞ୍ଜର୍ସଙ୍କ ମୃତ୍ୟୁ ଘଟିଛି। ବଙ୍କର ନଷ୍ଟ ହେବା ଏବଂ ଜଣେ ରେଞ୍ଜର୍ସ ପ୍ରାଣ ହରାଇବା ପରେ ପାକିସ୍ତାନ ସେନା ବିଏସ୍ଏଫ୍ ନିକଟକୁ ଫୋନ୍ କରି ଗୁଳିଗୋଳା ବର୍ଷଣ ବନ୍ଦ କରିବାକୁ ନିବେଦନ କରିଛି। ଚଳିତ ବର୍ଷ ଜାମ୍ମୁ କାଶ୍ମୀର ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନା ୭୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଏଥିରେ ୧୮ ସୁରକ୍ଷା କର୍ମୀଙ୍କ ସମେତ ୩୮ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି।