ବିପିୟୁଟି କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ

0

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ବିଭାଗ ପକ୍ଷରୁ ପ୍ରଶାସନିକ ଓ ଆର୍ଥିକ ଅନିୟମିତା ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହି ଆଧାରରରେ କୁଳାଧିପତି ତଥା ରାଜ୍ୟପାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀଙ୍କ ବିରୋଧରେ ପ୍ରଶାସନିକ ଓ ଆର୍ଥିକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ବିପିୟୁଟି କୁଳପତିଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ରିପୋର୍ଟ ରାଜ୍ୟପାଳଙ୍କ ସଚିବାଳୟକୁ ଦୁଇମାସ ମଧ୍ୟରେ ପଠାଇବାକୁ ମୁଖ୍ୟଶାସନ ସଚିବଙ୍କୁ କୁଳାଧିପତିଙ୍କ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ଅପରପକ୍ଷରେ ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ତତ୍କାଳ କାର୍ଯ୍ୟକାରୀ ଲାଗି ସମ୍ବଲପୁର ଉତ୍ତରାଞ୍ଚଳ ଆର୍‍ଡିସି ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।
ଏଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ୨୦୧୭ ନଭେମ୍ବର ୧୩ରୁ ବିପିୟୁଟି କୁଳପତି ଭାବେ ଦାୟିତ୍ୱରେ ଅଛନ୍ତି। ବିପିୟୁଟି ୨୦୦୬ ପ୍ରଥମ ଷ୍ଟାଚ୍ୟୁଟ୍‍ ୩୧(୩)କୁ ଉଲ୍ଲଙ୍ଘନ କରି ପରିଚାଳନା ବୋର୍ଡର ବିନା ଅନୁମୋଦନରେ ୧୪ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପରିଚାଳନା ବୋର୍ଡର ବିନା ଅନୁମୋଦରେ କୌଣସି ନିଯୁକ୍ତି ଫଳ ପ୍ରକାଶ ନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ ନିର୍ଦେଶ ଦିଆଯାଇଥିଲା, କିନ୍ତୁ ତାହାକୁ ସେ ଉପେକ୍ଷା କରିଥିଲେ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ଅର୍ଥ ସଚିବ, ଉଚ୍ଚଶିକ୍ଷା ସଚିବ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶକ ବିପିୟୁଟି ପରିଚାଳନା ବୋର୍ଡର ସଦସ୍ୟ ଅଛନ୍ତି। ସରକାରୀ ପ୍ରତିନିଧିଙ୍କ ବିନା ଅଂଶଗ୍ରହଣରେ ୨୦୧୮ ମେ ୧୪ରେ ପରିଚାଳନା ବୋର୍ଡର ବୈଠକ ବସିଥିଲା। ଉପରୋକ୍ତ ସଦସ୍ୟଙ୍କ ଉପସ୍ଥିତି ବିନା ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୁଳପତି ନେଇଥିଲେ।
କୁଳାଧିପତିଙ୍କ କାର୍ଯ୍ୟାଳୟର ବିନା ଅନୁମୋଦନରେ ପ୍ରଫେସର ତ୍ରିପାଠୀ ବିପିୟୁଟିର କୁଳସଚିବଙ୍କୁ ପରିବର୍ତ୍ତନ କରିଛନ୍ତି। ଭାରପ୍ରାପ୍ତ କୁଳସଚିବ ଦାୟିତ୍ୱରେ ଥିବା ଡ.ଏସ୍‍.ବେହେରା ରାଉରକେଲାରୁ କଲେଜ ଅଫ୍‍ ଇଞ୍ଜିନିୟରିଂ ଆଣ୍ଡ୍‍ ଟେକ୍ନୋଲୋଜି(ସିଇଟି)କୁ ବାରମ୍ବାର ପରିଦର୍ଶନ କରୁଛନ୍ତି। ଏହା ସିଇଟିର ପ୍ରଶାସନିକ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ସିଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କ ନ୍ୟସ୍ତସ୍ୱାର୍ଥ ଜଡ଼ିତ ରହିଥିବା କୁହାଯାଇଛି।
ଏସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିପିୟୁଟିରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଶାସନିକ ଓ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ଆସିବାରୁ କୁଳାଧିପତି ତଥା ରାଜ୍ୟପାଳ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏସମ୍ପର୍କରେ ବିପିୟୁଟି କୁଳପତି ଶ୍ରୀ ତ୍ରିପାଠୀଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।
କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଠାରୁ ପ୍ରଶାସନିକ ଓ ଆର୍ଥିକ କ୍ଷମତା ପ୍ରତ୍ୟାହାର କରିନିଆଯାଇଛି। ଏହାପରେ ବିପିୟୁଟି ପରିଚାଳନାର ପ୍ରଶାସନିକ ଓ ଆର୍ଥିକ ପ୍ରଶାସନିକ କ୍ଷମତା ସମ୍ବଲପୁର ଉତ୍ତରାଞ୍ଚଳ ଆର୍‍ଡିସିଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତି ନିର୍ଦେଶନାମା ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ସମ୍ବଲପୁର ଉତ୍ତରାଞ୍ଚଳ ଆର୍‍ଡିସିଙ୍କୁ ବିପିୟୁଟର ପ୍ରଶାସନିକ ଓ ଆର୍ଥିକ କ୍ଷମତା ଦାୟିତ୍ୱ ଦିଆଯାଇଥିବା ରାଜ୍ୟପାଳଙ୍କ ସଚିବାଳୟରୁ ଆରଡିସିଙ୍କୁ ପତ୍ର ଲେଖାଯାଇଛି। ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ବିପିୟୁଟି କୁଳପତିଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତାକୁ ତତ୍କାଳ କାର୍ଯ୍ୟକାରୀ ଲାଗି ସମ୍ବଲପୁର ଉତ୍ତରାଞ୍ଚଳ ଆର୍‍ଡିସି ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ଏଥିରେ ଦର୍ଶାଯାଇଛି।

Leave A Reply