ଗଛରୁ ପଡ଼ି ବାଳାଶ୍ରମ ଛାତ୍ରଙ୍କ ମୃତ୍ୟୁ
ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଳାଶ୍ରମରେ ରହୁଥିବା ଛାତ୍ର ସନ୍ତୋଷ ମଲ୍ଲିକ (୧୩)ଙ୍କର ଗଛରୁ ପଡ଼ି ମୃତ୍ୟୁ ଘଟିଛି। ସନ୍ତୋଷଙ୍କ ଘର ଚାନ୍ଦିପୁର ଥାନା ତପସି ଅଞ୍ଚଳରେ। ପ୍ରାୟ ୫ବର୍ଷ ହେଲା ସେ ବାଳାଶ୍ରମରେ ରହି ପାଠ ପଢ଼ୁଥିଲେ। ସୋମବାର ଅପରାହ୍ଣ ୫ଟା ବେଳେ ସାଥୀଙ୍କ ସହିତ ଗଛରେ ଚଢ଼ି ଖେଳୁଥିବା ବେଳେ ଖସିପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସନ୍ତୋଷଙ୍କ ମା’ ପର ଘରେ କାମ କରି ଘର ଚଳାଉଥିବା ବେଳେ ବାପା ଜଣେ ଭିନ୍ନକ୍ଷମ। ଏଭଳି ସ୍ଥଳେ ପୁଅର ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।
ଜିିଲାପାଳ ରମେଶଚନ୍ଦ୍ର ରାଉତ ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀ, ସଦର ତହସିଲଦାର ରଶ୍ମିରେଖା ପ୍ରଧାନ, ସିଡିଏମ୍ଓ ମିନାକ୍ଷୀ ରାୟ, ଏଡିଏମ୍ଓ ବିବେକାନନ୍ଦ ଦାସ ପ୍ରମୁଖଙ୍କ ସହିତ ଡାକ୍ତରଖାନାରେ ପହଞ୍ଚିି ଉତ୍ତସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ୨୦ ହଜାର ଟଙ୍କା ରେଡ୍କ୍ରସରୁ ସହାୟତା ଦେଇଥିଲେ। ମୃତ୍ୟୁ ପରେ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ଓ ପ୍ରତିଶ୍ରୁତି ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।