BJD Bijuli 480×75 Mob

ବୌଦ୍ଧରେ ନିଯୁକ୍ତି ମେଳା ୨୦୨୧-୨୨ ଅନୁଷ୍ଠିତ, ୩୦୪ ଜଣ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ଓ ୧୦୪ ଜଣକୁ ତାଲିମ ପାଇଁ ଚୟନ

BJD Bijuli 480×75 Mob

ବୌଦ୍ଧ :  ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀମିଶ୍ର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ବେକାର ଯୁବତୀ ଯୁବକ ମାନଙ୍କୁ ସାମିଲ ହେବାକୁ ଆହ୍ୱାନ ଜଣାଇବା ସହ କୌଣସି କାମ ଛୋଟ ନୁହେଁ ତେଣୁ ଆଗ୍ରହ ସହକାରେ କାମ କଲେ ନିଶ୍ଚିତ ଭାବରେ ସଫଳତା ପାଇବା ସହିତ ଉନ୍ନତି ପଥରେ ଆଗେଇପାରିବେ ବୋଲି ପ୍ରକାଶ କରିଥିଲେ ।

ମେଳାରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ବବିତରାଣୀ ଦଳବେହେରା ଯୋଗଦେଇ ନିଯୁକ୍ତି ମେଳାରେ ବହୁ ସଂଖ୍ୟାରେ ଯୁବତୀମାନେ ଉପସ୍ଥିତି ଥିବାରୁ ସେମାନଙ୍କୁ ଏହି ନିଯୁକ୍ତି ପ୍ରକିୟାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲା ଶିଳ୍ପ ତାଲିମ କେନ୍ଦ୍ରର ଅଧକ୍ଷ୍ୟ ଅବିନାଶ ମିଶ୍ର ଯୋଗଦେଇ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରକିୟାରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ । ଉପଜିଲାପାଳ ସନତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଜିଲା ସୁଚନା ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆରମ୍ଭରେ ଜିଲା କର୍ମ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ପୁର୍ବ ନିଯୁକ୍ତି ମେଳାର ବିବରଣୀ ଓ ଚଳିତ ବର୍ଷ ମେଳାକୁ ଆସିଥିବା ବିଭିନ୍ନ ନିଯୁକ୍ତିଦାତାଙ୍କ ସଂପର୍କରେ ସମ୍ୟକ ଧାରଣା ପ୍ରଦାନ କରିବାସହ ମେଳା ଆୟୋଜନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଅଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ତଥା ଯୁବ ରେଡକ୍ରସର ସଂପାଦକ ପ୍ରବୀର ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନସହ ସଭା ପରିଚାଳନା କରିଥିଲେ । ପରେ ଅତିଥିମାନେ ସମସ୍ତ ଷ୍ଟଲକୁ ଯାଇ କମ୍ପାନୀ କର୍ତ୍ତୃପକ୍ଷ , ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ । ଏହି ମେଳାରେ ୪୪୪ ଜଣ ଯୁବକ ଯୁବତୀ ନାମ ପଂଜିକୃତ କରିଥିବାବେଳେ ୩୦୪ ଜଣକୁ ନିଯୁକ୍ତିପତ୍ର ଓ ୧୪୦ ଜଣକୁ ତାଲିମ ପ୍ରଦାନ ପାଇଁ ଚୟନ କରାଯାଇଥିଲା । ଏଥି ସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ପଲିଟେକନିକ, ଆଇଟିଆଇ ଏବଂ ଅନ୍ୟାନ୍ୟ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ମେଳାକୁ ସଫଳ କରିଥିଲେ । ଏହି ମେଳାରେ ୧୬ ଗୋଟି ନିଯୁକ୍ତିଦାତା କମ୍ପାନୀ ଓ ୧୧ ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ସହ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ସରକାରୀ ପଲିଟେକନିକ , ଜିଏମ ଡିଆଇସି ଏବଂ ଗ୍ରାମ୍ୟ ଆତ୍ମନିଯୁକ୍ତି ତାଲିମ ସଂସ୍ଥା( ଏସବିଆଇ ଆରସେଟି) ଏହି ଭଳି ସର୍ବମୋଟ ୧୫ ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Comments are closed.