ସଂଗ୍ରହାଳୟ ପ୍ରାଙ୍ଗଣରେ ଖୋଲିଲା ମିଲ୍ଳେଟ ଷ୍ଟଲ୍‌

ବୌଦ୍ଧ: ବୌଦ୍ଧ ଜିଲା ସଂଗ୍ରହାଳୟ ପ୍ରାଙ୍ଗଣରେ ବୁଧବାର ଦିନ ମିଲ୍ଳେଟ ଷ୍ଟଲକୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳେବେହରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଖାଦ୍ୟ ଷ୍ଟଲକୁ  ମହିଳା ସ୍ୱଂୟସହାୟକ ଗୋଷ୍ଠୀମାନେ ପରିଚାଳନା କରୁଛନ୍ତି । ଏବେ ଜିଲାରେ ମାଣ୍ଡିଆ ଚାଷ ଓ ଚାହିଦା ବୃଦ୍ଧି ନିମନ୍ତେ ସମସ୍ତ ଅନୁଷ୍ଠାନ ଗୁଡିକ ଆଗଭର ହୋଇପଡିଛନ୍ତି । ଜିଲାରେ ଥିବା ସମସ୍ତ ବ୍ଳକରେ ମିଶନ ଶକ୍ତି କାଫେ, ଲେଥା କାଫେ ଗୁଡିକରେ ମାଣ୍ଡିଆ ଜାତୀୟ କ୍ଷୁଦ୍ର ଶସ୍ୟରୁ ତିଆରି କରାଯାଉଥିବା ବିସ୍କୁଟ, ଲଡୁ , ମିକ୍ସଚର  ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବାକୁ ଓଡିଶା ମିଲେଟ ମିଶନ ଅଧିକାରୀଙ୍କୁ ଅତିରିକ୍ତ ଜିଲାପାଳ କହିଥିଲେ । ଆଗକୁ ଜିଲାରେ ଅନ୍ୟ ବ୍ଳକ ଗୁଡିକରେ ମିଲେଟ ଖାଦ୍ୟ ସାମଗ୍ରୀ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ ବୋଲି ଓଡିଶା ମିଲେଟ ମିଶନର ଜିଲା କାର୍ଯ୍ୟକ୍ରମ ସଂଯୋଜକ ଦିବ୍ୟ ଜ୍ୟୋତି ପ୍ରକାଶ କାନ୍ତ ସୂଚନା ଦେଇଛନ୍ତି । ମିଶନ ଶକ୍ତି ଜରିଆରେ ଲୁପ୍ତ ପ୍ରାୟ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ପୁନରୁଦ୍ଧାର ହୋଇପାରିଛି । ଓଡିଶା ମାଣ୍ଡିଆ ମିଶନ କାର୍ଯ୍ୟକ୍ରମ ମାଣ୍ଡିଆ ଶସ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି ଅତିରିକ୍ତ ପରିଯୋଜାନା ନିଦେର୍ଶକ (ଆତ୍ମା) କମଳାକାନ୍ତ କଟାରୀ ସୂଚନା ଦେଇଥିଲେ ।

Comments are closed.