ଆଧୁନିକୀକରଣ ହେବ ବୌଦ୍ଧ ସଂସ୍କୃତି ଭବନ ଓ ପାଠାଗାର
ପାଠକ ପାଠିକାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଗୁରୁତ୍ୱ
ବୌଦ୍ଧ: ଦୀର୍ଘଦିନ ହେଲା ଅବହେଳିତ ହୋଇ ପଡିରହିଥିବା ବୌଦ୍ଧ ସଂସ୍କୃତି ଭବନ ଓ ପାଠାଗାରର ପୁନଃରୁଦ୍ଧାର ପାଇଁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ବୌଦ୍ଧ ଏନଏସି କାର୍ଯ୍ୟାଳୟ ନିକଟରେ ଦୀର୍ଘବର୍ଷ ହେଲା ସଂସ୍କୃତି ଭବନ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗରୁ ମିଳିଥିବା ୨୦ ଲକ୍ଷ ଟଙ୍କାର ଅନୁଦାନରେ ଚିହ୍ନଟ ଜାଗାରେ ପାଚେରୀ ନିର୍ମାଣ ସହିତ ଏକ ଛୋଟ କାର୍ଯ୍ୟାଳୟ କୋଠା ନିର୍ମାଣ କରାଯାଇଥିଲା । କିନ୍ତୁ ଏନଏସି କାର୍ଯ୍ୟାଳୟ ପରିସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚାଲିଥିବା ପାଠାଗାରକୁ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଉଠାଇଦିଆଯିବା ପରେ ଏହି ପାଠାଗାରଟି ସଂସ୍କୃତି ଭବନ ପାଇଁ ନିର୍ମିତ କାର୍ଯ୍ୟାଳୟ କୋଠାକୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ପାଠାଗାର ମଧ୍ୟରେ ୮ ହଜାରରୁ ଊର୍ଦ୍ଧ୍ଵ ମୂଲ୍ୟବାନ ପୁସ୍ତକ ସହିତ ପ୍ରତିଦିନର ସମସ୍ତ ସମ୍ବାଦପତ୍ର ପଢିବାର ସୁଯୋଗ ସାଧାରଣ ଲୋକଙ୍କୁ ମିଳିପାରୁଛି । ସହରବାସୀଙ୍କ ପାଇଁ ଏହି ପାଠାଗାର ଅନେକ ଗୁରୁତ୍ୱ ରଖୁଥିବା ବେଳେ ଜିଲ୍ଲାପାଳ ଶ୍ରୀ ସାହୁ ଏହାକୁ ଉପଲବ୍ଧି କରିବା ସହିତ ଏହାର ପୁନଃରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିସହିତ ସମସ୍ତ ସୁବିଧା ସୁଯୋଗ ସହିତ ସଂସ୍କୃତି ଭବନର ସଂପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ସଂସ୍କୃତି ବିଭାଗ ଓ ଶସଡି ଅମୀୟ କୁମାର ଧଳ, ବରିଷ୍ଠ ସ୍ଥପତି ନାରାୟଣ ତ୍ରିପାଠୀ ଓ ସୁମନ ଷଡଙ୍ଗୀ ପ୍ରମୁଖ ପୁରୁଣା ସଂସ୍କୃତି ଭବନ ବୁଲି ଦେଖିବା ସହ ଏହାର ପୁନଃରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀସାହୁ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବୁଲିଦେଖିବା ସହିତ ସଂସ୍କୃତି ଭବନ ଓ ପାଠାଗାର ସଂପ୍ରସାରଣ ଓ ଆଧୁନିକୀକରଣ ପାଇଁ ପୂର୍ତ୍ତବିଭାଗ, ଏନଏସି, ତହସିଲଦାର, ସଂସ୍କୃତି ଅଧିକାରୀ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସହିତ ଏକ ବୈଠକ କରି ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ । ଅସ୍ଥାୟୀ ଭାବରେ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ସମ୍ମିଳନୀ କକ୍ଷଠାରେ ପାଠାଗାର ପରିଚାଳନା ପାଇଁ ଜିଲାପାଳ ଶ୍ରୀ ସାହୁ ନିର୍ଦ୍ଦେଶ ଦେବା ସହିତ ପାଠାଗାର ମଧ୍ୟରେ ସମସ୍ତ ଜିଲାର ଗେଜେଟିୟର, ବିଜ୍ଞାନ ଗ୍ରନ୍ଥାବଳୀ, ପରିଦର୍ଶନ ଖାତା, ହାଜିରାଖାତା, ସାଧାରଣଜ୍ଞାନ ଓ ପ୍ରତିଯୋଗୀତାମୂଳକ ବିଭିନ୍ନ ପୁସ୍ତକ, ସମସ୍ତ ସମ୍ବାଦପତ୍ର ଓ ମ୍ୟାଗାଜିନ ମଗାଇ ରଖିବା ସହିତ ଟେବୁଲ, ସିସିଟିଭି କ୍ୟାମେରା, ଉନଭର୍ଟର ଏବଂ ପରିଶ୍ରାଗାର ଆଦି ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଲା ପାଠାଗାରରେ ପାଠକ ପାଠିକା ସଂଖ୍ୟା ଯେପରି ବୃଦ୍ଧି ହୋଇପାରିବ ସେଥିପାଇଁ ଜିଲାପାଳ ଶ୍ରୀସାହୁ ପରାମର୍ଶ ଦେଇଛନ୍ତି । ଏକ ସପ୍ତାହ ମଧ୍ୟରେ ପାଠାଗାର ମଧ୍ୟରେ ସବୁ ସୁବିଧା କରିବା ସହିତ ଏହାର ମରାମତି ଓ ରଙ୍ଗ ଆଦି କାର୍ଯ୍ୟ ମଧ୍ୟ ଶେଷ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ତହସିଲଦାର ଦେବୀ ପ୍ରସାଦ ଦାଶ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.