ବୌଦ୍ଧ: ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲାରେ ଶିକ୍ଷାର ଗୁଣାତ୍ମକ ମାନ ପରୀକ୍ଷା କରିବା ପାଇଁ ଜିଲାପାଳ ଶ୍ରୀସାହୁ ଅଚାନକ ସହରର ଦୁଇ ପୂରାତନ ଉଚ୍ଚ ବିଦ୍ୟାଳୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ । ଜିଲାପାଳ ପ୍ରଥମେ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିବେଶ ସଫା ସୁତର କରିବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରାଚୀର ପ୍ରତ୍ର, ନିୟୁଜ କର୍ଣ୍ଣର, ଆର୍ଟ ଗ୍ୟାଲେରୀ ଅପଡେଟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଦ୍ୟାଳୟର ସ୍ୱଚ୍ଛତା, ଶିକ୍ଷାଦାନ, ଗୁଣାତ୍ମକ ଶିକ୍ଷା, ସୁରକ୍ଷା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆଦି ସଂପର୍କରେ ପଚାରି ବୁଝିଥିଲେ । ପରେ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀ କକ୍ଷକୁ ଯାଇ ସ୍ମାର୍ଟ କ୍ଲାସ ରୁମ ବୁଲି ଦେଖିଥିଲେ । ବିଦ୍ୟାଳୟ ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆର୍ଟ ଗ୍ୟାଲେରୀ, ନିୟୁଜ କର୍ଣ୍ଣର ଅପଡେଟ ରଖିବା ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ, ଡଷ୍ଟବିନର ନିୟମିତ ବ୍ୟବହାର, ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ ଆଦି ନଖାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବରେ ଜିଲାରେ ବିଦ୍ୟାଳୟ ପରିସରକୁ ସାନିଟାଇଜ କରିବା, ଗୁଣାତ୍ମକ ଶିକ୍ଷା, ନିୟୁଜ କର୍ଣ୍ଣର, ପ୍ରାଚୀରପତ୍ର, ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ୱ ଦେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ ।
ତେବେ ଜିଲାପାଳଙ୍କ ଏହି ଅଚାନକ ସହରର ଦୁଇଗୋଟି ପ୍ରମୁଖ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ ନେଇ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଶିକ୍ଷାନୁଷ୍ଠାନ ୫ଟି ଅର୍ନ୍ତଭୁକ୍ତ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ହେଲା ଉଭୟ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ପୂର୍ବରୁ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିବା ଜିଲାପାଳଙ୍କ ପରିଦର୍ଶନ ପରେ ହୁଏତ ଦୀର୍ଘବର୍ଷରୁ ଖାଲି ପଡିଥିବା ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ପୂରଣ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଅଛି । ଏହି ପରିଦର୍ଶନ ସମୟରେ ତାଙ୍କ ସହିତ ଜିଲା ଶିକ୍ଷା ଅଧିକାରୀ ଉଦୟ ନାଥ ମାଝି,ବ୍ଲକ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ ।



