କରଡି ବୋମା ବିସ୍ଫୋରଣ ମାମଲା; ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ
ବୌଦ୍ଧ: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଡି ଗ୍ରାମର ବହୁ ଚର୍ଚ୍ଚିତ ବୋମା ବିଷ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଏକମାତ୍ର ଅଭିଯୁକ୍ତକୁ ବୌଦ୍ଧ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରାଜଜ୍ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାଏ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶଯେ, ଗତ ୨୦୧୮ ମସିହା ମାର୍ଚ୍ଚ ୧୦ ତାରିଖ ରାତିରେ ବୌଦ୍ଧଥାନା ଅନ୍ତର୍ଗତ କରଡି ଗ୍ରାମର ଧରଣୀଧର ସାହୁ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୨.୩୦ ମିନିଟ ସମୟରେ ଶୋଇବା ଘରର ସ୍କାଏ ଲାଇଟ ମଧ୍ୟ ଦେଇ କେହି ଦୁର୍ବୃତ୍ତ ଏକ ଡିନାମାଇଟ ବମକୁ ଘର ଭିତରକୁ ଫିଙ୍ଗି ଦେଇଥିଲା ।
ଉକ୍ତ ବମଟି ଘର ଭିତରେ ଶୋଇଥିବା ଧରଣୀ ସାହୁଙ୍କ ଛାତି ଉପରେ ପଡିଥିଲା । ସେହି ସମୟରେ ଘରେ ଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବଞ୍ଚାଇବାକୁ ଧରଣୀ ଉକ୍ତ ଜଳୁଥିବା ଡିନାମାଇଟ ବମକୁ ହାତରେ ଧରି କୋଠରି ବାହାରକୁ ଫିଙ୍ଗିବା ପାଇଁ ଆସୁଥିବାବେଳେ ହଠାତ୍ ବମଟି ବିଷ୍ଫୋରଣ ହୋଇଥିଲା । ଏହି ଘଟଣାରେ ଧରଣୀଙ୍କ ହାତ, ଆଖି ତଥା ଶରୀର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଆଘାତପ୍ରାପ୍ତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଶ୍ରୀସାହୁ ତାଙ୍କ ଗୋଟିଏ ହାତ ପାପୁଲି ଓ ଦୁଇ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ସଂପର୍କରେ ଆହତ ଧରଣୀଙ୍କ ଭାଇ ମନୋରଂଜନ ସାହୁଙ୍କ ଅଭିଯୋଗକ୍ରମେ ବୌଦ୍ଧ ଥାନାରେ ୪୬/୨୦୧୮ରେ ମାମଲା ରୁଜୁ ହୋଇ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।
ଏହି ଘଟଣା ସେହି ସମୟରେ ସାରା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନ୍ୟୁନ ତିନିଜଣ ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା । ଘଟଣାରେ ପୁଲିସ କରଡି ଗ୍ରାମର ପାଣୁ ଓରଫ ସାରଙ୍ଗଧର ବେହେରାଙ୍କ ପୁଅ ଲୁଲୁ ଓରଫ ପ୍ରଶାନ୍ତ ବେହେରା(୨୪)କୁ ଅଭିଯୁକ୍ତ ଭାବରେ ଚିହ୍ନଟ କରି ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ ବୋର୍ଡର ଦଫା ୩୨୬/୩୦୭ ଓ ଏକ୍ସପ୍ଲୋସିଭ ଆଇନର ଦଫା ୯(ଖ)ରେ କୋର୍ଟଚାଲାଣ କରିଥିଲା । ମାନ୍ୟବର ଅଦାଲତ ମୋକଦ୍ଦମାର ବିଚାର ସମୟରେ ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗର ନିର୍ଦ୍ଦିଷ୍ଟ ପ୍ରମାଣ ଅଭାବ ଫଳରେ ମାନ୍ୟବର ଅଦାଲତ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଥିବା ଜଣାଯାଇଛି । ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କ ପକ୍ଷରୁ ଆଇନଜୀବୀ ପ୍ରିତମ ମିଶ୍ର ମୋକଦ୍ଦମା ପରିଚାଳନା କରୁଥିଲେ ।
Comments are closed.