ବୌଦ୍ଧ : ଜିଲାପାଳ ଜେ. ସୋନାଲ ବୌଦ୍ଧରେ ଯୋଗଦେବା ପରେ ବିଶେଷ ଭାବରେ ଗ୍ରାମାଞ୍ଚଳର ବିକାଶକୁ ଫୋକସ କରିଛନ୍ତି। ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ହରଭଙ୍ଗା ବ୍ଲକର ଉପାନ୍ତ ଗ୍ରାମ ମହାଲିକ ପଡାରେ ପହଂଚି ଲୋକଙ୍କ ସହ ସିଧାସଳଖ ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହପରି ଅଳ୍ପଦିନ ତଳେ ଆଡେଣିଗଡ ପଂଚାୟତର ପାହାଡ ଉପରେ ଥିବା ଗ୍ରାମ କାଚପାଜୁକୁ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହିତ ତୁରନ୍ତ ସେହ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଟକିଥିବା ଫାଇଲକୁ ଅନୁମୋଦନ କରାଇ କାର୍ଯ୍ୟାରମ୍ଭ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲାପାଳ ଜେ. ସୋନାଲ ବୁଧବାର ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ବିଦ୍ୟାଳୟ ଓ ଅଙ୍ଗନାବାଡି କେନ୍ଦ୍ର ଗୁଡିକର ସମସ୍ୟା ବୁଝିବା ସହ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ଶିକ୍ଷାନୁଷ୍ଠାନ ଗୁଡିକରେ ପରିବେଶ,ଶ୍ରେଣୀଗୃହ,ପାନୀୟଜଳ,ଶୌଚାଳୟ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଗୁନ୍ଦୁଳିଆ ପଞ୍ଚାୟତର କିରମାଖୋଲ ଅଙ୍ଗନାବାଡି କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ସହିତ ତଳେ ବସି ଆଲୋଚନା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ସେହପରି ଗୁନ୍ଦୁଳିଆ,ତିଲପଙ୍ଗା,ଡିମିରିଖୋଲ ଆଦି ଗ୍ରାମର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।



