ପୁଣି ଏକାଠି ହେବେ ବିଜେଡି-ବିଜେପି ! ମାର୍ଚ୍ଚ ୯କୁ ଅପେକ୍ଷା

ଭୁବନେଶ୍ବର: ‘ରାଜନୀତିରେ କେହି ଚିରକାଳ ଶତ୍ରୁ ବା ମିତ୍ର ନୁହନ୍ତି, ରାଜନୈତିକ ସ୍ବାର୍ଥ ହିଁ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ’। ଏହି ଉକ୍ତିର ଝଲକ୍‌ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି। କିଛିଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାହା ଧୀରେଧୀରେ ସତ ହେବାକୁ ଯାଉଛି। ୧୫ବର୍ଷ ପରେ ପୁଣି ଏକାଠି ହେବାକୁ ଯାଉଛନ୍ତି ବିଜେଡି-ବିଜେପି। ଏନ୍‌‌ଡିଏକୁ ଫେରିପାରେ ବିଜେଡି। ଉଭୟ ଦଳ ମେଣ୍ଟ କରି ଓଡ଼ିଶାରେ ୨୦୨୪ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା। ମେଣ୍ଟ ସମ୍ପର୍କରେ କେହି କିଛି ସ୍ପଷ୍ଟ କରୁନଥିଲେ ବି ବିଜେଡି ଓ ବିଜେପିର ରାଜନୈତିକ ଘଟଣାକ୍ରମ ବୁଝାମଣା ଆଡ଼କୁ ଇଙ୍ଗିତ କରୁଛି। ମେଣ୍ଟ ନେଇ ଆଲୋଚନା ସରିଛି, କେବଳ ଆସନ ବୁଝାମଣା ଅଙ୍କ ଛିଡ଼ିବା ବାକି ଥିବା କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତର ୨୪ ଘଣ୍ଟା ଭିତରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ଆଗକୁ ବଢ଼ିଛି। ଦିଲ୍ଲୀରେ ବିଜେପିର ବୈଠକ ଏବଂ ଭୁବନେଶ୍ବରରେ ନବୀନ ନିବାସ ବୈଠକରୁ ମେଣ୍ଟ ସଙ୍କେତ ମିଳିଛି। ବିଜେଡିର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଡ. ଅରୁଣ ସାହୁଙ୍କ ପ୍ରତିକ୍ରିୟାରୁ ମେଣ୍ଟ ଇସାରା ମିଳୁଥିଲେ ବି ସେମାନେ ସ୍ପଷ୍ଟ କରିନାହାନ୍ତି। ସେହିପରି ବିଜେପି ସାଂସଦ ଜୁଏଲ ଓରାମ ମେଣ୍ଟ ଆଲୋଚନାକୁ ସ୍ବୀକାର କରିବା ସହ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଦିଲ୍ଲୀରେ ଓଡ଼ିଶା ନେତାଙ୍କୁ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିଜେପି କୋର୍ କମିଟି ମିଟିଂ ଏବଂ ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘନଘନ ବୈଠକ ପରେ ଦୁଇଦଳ ପକ୍ଷରୁ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

ନବୀନ ନିବାସରେ ଦୀର୍ଘ ସମୟ ଧରି ଦୁଇଟି ପର୍ଯ୍ୟାୟ ବୈଠକ ସରିବା ପରେ ବାହାରକୁ ଆସି ବିଜେଡିର ବରିଷ୍ଠ ନେତା ଶ୍ରୀ ମିଶ୍ର ଏବଂ ଶ୍ରୀ ସାହୁ ଗଣମାଧ୍ୟମକୁ କହିଥିଲେ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ନେତାଙ୍କ ସହ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ହୋଇଛି। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସଫଳତା ପାଇଚାଲିଛି। ଉନ୍ନତିର ପରବର୍ତ୍ତୀ ପର୍ଯ୍ୟାୟକୁ ଓଡ଼ିଶାକୁ ନେବା ପାଇଁ ପ୍ରୟାସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅଗ୍ରଗତିର ଯେଉଁ ମାଇଲଖୁଣ୍ଟ ଧାର୍ଯ୍ୟ କରିଛନ୍ତି, ତାହାକୁ ଆଗକୁ ନେବା ପାଇଁ ଓଡ଼ିଶାବାସୀଙ୍କ ସ୍ୱାର୍ଥଦୃଷ୍ଟିରୁ ଯାହା ଆବଶ୍ୟକ ପଡିବ ବିଜେଡି ସେ ଦିଗରେ ପଦକ୍ଷେପ ନେବ। ସିଧାସଳଖ ଭାବେ ମେଣ୍ଟ ସମ୍ପର୍କରେ ଉଭୟ ନେତା ମୁହଁ ଖୋଲିନଥିଲେ ହେଁ ଏହି ମନ୍ତବ୍ୟ ମେଣ୍ଟ ଆଡକୁ ସଙ୍କେତ ଦେଉଛି।

Comments are closed.