ପଦୋନ୍ନତି ପାଇଁ ଡିଇଓଙ୍କ ବାସଗୃହ ଘେରିଲେ ଶିକ୍ଷକ

ଲାଞ୍ଚ ଦେଇ ଅଧିକାରୀଙ୍କ ଗୋଡ଼ ଧରିିଲେ ଶିକ୍ଷକ, ୧୦ ଘଣ୍ଟା ଧରି ଜିଲାଶିକ୍ଷାଧିକାରୀ ଗୃହବନ୍ଦୀ

ବୌଦ୍ଧ : ବ୍ୟାପକ ଲାଞ୍ଚ କାରବାର ବୌଦ୍ଧଜିଲା ଶିକ୍ଷା ବିଭାଗ ପାଇଁ ଏକ ସାଧାରଣ ଘଟଣା ପାଲଟିଥିବାବେଳେ ଏବେ ବିଭାଗୀୟ କଳା କାରନାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଅବସ୍ଥା ସୃଷ୍ଟି କରିଛି। ଜିଲାରେ ଲବେଲ ୪ରୁ ଲେବେଲ ୩କୁ ପ୍ରଧାନଶିକ୍ଷକ ପଦୋନ୍ନତି ନେଇ ୧୩ ତାରିଖ ଦିନ କାଉନସେଲିଂ ଥିବାବେଳେ ଅନିବାର୍ଯ୍ୟ କାରଣ ଯୋଗୁଁ ଏହାକୁ ୧୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ୧୪ ତାରିଖ ଦିନ ଶିକ୍ଷକ ଶିକ୍ଷୟିତ୍ରୀମାନେ କାଉନସେଲିଂ ପାଇଁ ବ୍ଲକ କାର୍ଯ୍ୟାଳୟଗୁଡିକରେ ପହଞ୍ଚିବା ପରେ ପଦୋନ୍ନତି ପାଇଁ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିବାରୁ କାଉନସେଲିଂ ରଦ୍ଦ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଶିକ୍ଷା ବିଭାଗ ଜାଣିଶୁଣି ସେମାନଙ୍କ ଚାକିରୀ ଓ ଜୀବନ ଜିବିକା ନେଇ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି। ଏଥିସହ ପଦୋନ୍ନତି ପ୍ରଦାନ ପାଇଁ ବୁଧବାର ଦିନ ଜିଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ଘେରିବା ସହ ଘର ସମ୍ମୁଖରେ ଧାରଣା ଦେଇଥିଲେ।

prayash

ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, ବୌଦ୍ଧ ଜିଲାରେ ଲେବେଲ ୪ ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ସୁଦ୍ଧା ଜିଲା ଶିକ୍ଷା ବିଭାଗର ଖାମଖିଆଲି ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଠିକ୍‌‌ ସମୟରେ ପଦୋନ୍ନତି ପାଇପାରୁ ନାହାନ୍ତି। ସରକାରଙ୍କ ପକ୍ଷରୁ ଜିଲାସ୍ତରରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଲେବେଲ ୪ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ଦେବାକୁ ନିଦେର୍ଶ ଆସିଥିଲା। ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶରେ ପରିବର୍ତନ ସହିତ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଜିଲା ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଗ୍ରେଡେସନ ତାଲିକା ପ୍ରସ୍ତୁତିରେ ବିଳମ୍ବ ସହିତ ମନ୍ଦ ଉଦ୍ଦେଶ୍ୟ ରଖି ଜାଣିଶୁଣି ସରକାରୀ ନିଷ୍ପତ୍ତିକୁ ଗଡ଼ାଉଥିବା ନେଇ ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପଦୋନ୍ନତି ପ୍ରଦାନ ନିଷ୍ପତ୍ତି ପରେ ଅନ୍ୟ ଜିଲାଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ସାରିଥିଲେ ମଧ୍ୟ ବୌଦ୍ଧ ଜିଲାରେ ଜାଣିଶୁଣି ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉନଥିଲା। ବୁଧବାର ଗ୍ରେଡେସନ ତାଲିକା ଆଧାରରେ ପଦୋନ୍ନତି ପାଇଁ ୧୪୬ ଜଣ ଯୋଗ୍ୟ ବିବେଚିତ ଶିକ୍ଷକ ଶିକ୍ଷୟତ୍ରୀମାନେ ସମସ୍ତ ବ୍ଲକଗୁଡିକରେ କାଉନସେଲିିଂ ପାଇଁ ପହଞ୍ଚିଥିବାବେଳେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଆଦେଶ ମୁତାବକ ବର୍ତମାନ ପଦୋନ୍ନତିକୁ ସ୍ଥଗିତ କରାଯାଇଥିବା କୁହାଯାଇଥିଲା। ଫଳରେ ଜିଲା ଶିକ୍ଷାଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଶିକ୍ଷକ ଶିକ୍ଷୟତ୍ରୀମାନେ ପ୍ରତାରିତ ହେଉଥିବା ଅଭିଯୋଗରେ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ବ୍ଲକ କାର୍ଯ୍ୟାଳୟରୁ ଡିଇଓଙ୍କ ବାସଗୃହରେ ପହଞ୍ଚି ଘେରାଉ କରି ଧାରଣାରେ ବସିଥିଲେ। ଜଣେ ଶିକ୍ଷକ ପଦୋନ୍ନତି ପ୍ରଦାନ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ ଗୋଡ଼ ଧରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ପଦୋନ୍ନତି ପାଇଁ ଟଙ୍କା ଦେବା ସତ୍ୱେ ସେମାନଙ୍କୁ ପ୍ରତାରିତ କରାଯାଇଥିବା କହି ଶିକ୍ଷକ ଶିକ୍ଷୟତ୍ରୀମାନେ ଜିଲା ଶିକ୍ଷା ଅଧିକାରୀଙ୍କୁ ରାଜରାସ୍ତାରେ ଗାଳି କରିବା ସହ ପଦୋନ୍ନତି ପାଇଁ ନେଇଥିବା ଟଙ୍କା ଫେରାଅ ବୋଲି ଦାବୀ କରିଥିଲେ। ଫଳରେ ଦିନ ସାରା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା। ଏନେଇ କିଛି ଶିକ୍ଷକ ଜିଲା ଶିକ୍ଷା ଅଧିକାରୀଙ୍କ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପଦୋନ୍ନତି ପାଇବାରେ ଅସୁବିଧା ଉପୁଜିଥିବା ଅଭିଯୋଗ କରିଥିଲେ। ଏନେଇ ଜିଲାଶିକ୍ଷା ଅଧିକାରୀ ଉଦୟନାଥ ମାଝୀଙ୍କ କହିବା କଥା ୧୩ ତାରିଖରେ ହେବାକୁ ଥିବା କାଉନସେଲିଂ ମୁଖ୍ୟମନ୍ତ୍ରୀଙ୍କ ଆଭାସୀ କାର୍ଯ୍ୟକ୍ରମ ଯୋଗୁଁ ହୋଇପାରିନଥିଲା, ତେଣୁ ଏହା ୧୪ ତାରିଖରେ ହେବାକୁ ଥିଲା। କିନ୍ତୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଡବ୍ଲ୍ୟୁପି(ସି) ୧୮୫୨୫/୨୦୨୩ ତା ୧୨.୬.୨୩ରେ ମାମଲା ଯୋଗୁଁ ଏହାକୁ ସ୍ଥଗିତ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ନଛୋଡବନ୍ଧା ହୋଇ ଦିନ ତମାମ ଜିଲା ଶିକ୍ଷା ଅଧିକାରୀଙ୍କ ଘର ଘେରାଉ କରି ରଖିଥିଲେ। ଦୀର୍ଘ ୧୦ ଘଣ୍ଟା ପରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର ଘଟଣା ସ୍ଥଳକୁ ପହଞ୍ଚି ଯେହେତୁ ଉଚ୍ଚ ନ୍ୟାୟାଳୟରେ ମାମଲା ରହିଛି, ମାମଲାର ରାୟ ଆସିବା ପରେ ପଦୋନ୍ନତି କଥା ବିଚାର କରାଯିବ ବୋଲି କହିବା ସହ ଆପାଣମାନେ ଯଦି ନମାନିବେ ତେବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶିକ୍ଷକମାନଙ୍କୁ କହିବାପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶେଷର ନିରାଶ ହୋଇ ଫେରିଯାଇଥିଲେ।

Comments are closed.