ପ୍ରତିବର୍ଷ ଏକ ମିଟର ନିମ୍ନଗାମୀ ହେଉଛି ବୌଦ୍ଧ ଜିଲାରେ ଭୂତଳ ଜଳସ୍ତର

ଖସୁଛି ଭୂତଳ ଜଳସ୍ତର, ଶୁଖୁଛି ନଦୀ ନାଳ

ବୌଦ୍ଧ: ରାଜ୍ୟ ସରକାର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଜଳ ଉତ୍ସ ଗୁଡିକର ସଂରକ୍ଷଣକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭୂତଳ ଜଳସ୍ତର ବୃଦ୍ଧି ଏବଂ ପ୍ରବାହିତ ନଦୀଜଳ ସଂରକ୍ଷଣ କରାଯିବାକୁ ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଅଛି। ତେଣୁ ପୂର୍ବରୁ ରହିଥିବା ଜଳ ଉତ୍ସ ଗୁଡିକର ସଂରକ୍ଷଣ ଓ ପୋତି ହୋଇଯାଉଥିବା ଜଳ ଉତ୍ସ ଗୁଡିକର ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଏ ଦିଗରେ ଦୃଷ୍ଟି ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ କୃଷି ଉପରେ ନିର୍ଭରଶୀଳ ବୌଦ୍ଧ ଜିଲାରେ ଭୂତଳ ଜଳସ୍ତର ପ୍ରତିବର୍ଷ ଏକ ମିଟର ନିମ୍ନଗାମୀ ହେଉଥିବା ଜଣାପଡିବା ପରେ ଏହାକୁ ନେଇ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି। ଚିରସ୍ରୋତା ମହାନଦୀ,ତେଲନଦୀ ସମେତ ଅନେକ ଛୋଟବଡ ନଦୀ ନାଳରେ ଭର୍ତ୍ତି ବୌଦ୍ଧଜିଲା। ଜିଲାରେ ଏକ ହଜାରରୁ ଅଧିକ ପଞ୍ଚାୟତ ପୋଖରୀ ରହିଥିବା ସରକାରୀ ରେକର୍ଡରେ ଦର୍ଶାଯାଉଥିବାବେଳେ କୃଷିଫାର୍ମ ପୋଖରୀ ସଂଖ୍ୟା ମିଶିଲେ ଜିଲାରେ ପ୍ରାୟ ୩ ହଜାରରୁ ଅଧିକ ପୋଖରୀ ରହିଛି। କ୍ଷୁଦ୍ର ଜଳସେଚନ ବିଭାଗ ,ଜଳଛାୟା ମିଶନ ଓ ବ୍ଲକ ଗୁଡିକ ପକ୍ଷରୁ ନିର୍ମାଣ ହୋଇଥିବା ଚେକ୍ ଡେମ ହିସାବକୁ ନେଲେ ଜିଲାରେ ବହୁ ସଂଖ୍ୟାରେ ଜଳ ଉତ୍ସ ସବୁ ରହିଛି।

ଜଳସଂପଦ ବିଭାଗ ପକ୍ଷରୁ ନିର୍ମିତ ବାଘ ଓ ସାଲୁଙ୍କି ଭଳି ବୃହତ ଜଳସେଚନ ବ୍ୟବସ୍ଥା ମଧ୍ୟ ରହିଛି। ଏସବୁକୁ ବାଦ ଦେଲେ ଉଠାଜଳସେଚନ ବିଭାଗ ଜରିଆରେ ଜିଲାରେ ଅନେକ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି। କିନ୍ତୁ ଜିଲାରେ ଏତେ ସବୁ ଜଳ ଉତ୍ସ ଥାଇ ମଧ୍ୟ ଭୂତଳ ଜଳସ୍ତର ଦିନକୁ ଦିନ ଖସି ଚାଲିଥିବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ପ୍ରାୟ ଏକ ମିଟର ତଳକୁ ଖସିଯାଉଛି। ଉପର ମୁଣ୍ଡରେ ବହୁ ସଂଖ୍ୟାରେ ଡେମ ନିର୍ମାଣ ଯୋଗୁଁ ଚିରସ୍ରୋତା ମହାନଦୀ ତାର କାୟା ହରାଇ ସାରିଥିବାବେଳେ ବର୍ଷକୁ ୮ ମାସ ଏଥିରେ ଜଳସଙ୍କଟ ଲାଗି ରହିଛି।

prayash

ସେହିପରି ଉପର ମୁଣ୍ଡରେ ଭଲ ବର୍ଷା ନହେଲେ ତେଲ,ବାଘ ଓ ସାଲୁଙ୍କି ନଦୀ ଗ୍ରୀଷ୍ମ ଚାରିମାସ ସଂପୂର୍ଣ୍ଣ ଶୁଖି ଯାଉଅଛି। ଏହାର ପ୍ରଭାବରେ ନାଳ, ପୋଖରୀ ସବୁ ଶୁଖି ଯାଉଥିବାବେଳେ ଜଳସ୍ତର କମିଯିବା ଯୋଗୁଁ ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇଯାଉଅଛି। ସରକାର ଜିଲାର ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇଦେବାକୁ ଯୋଜନା କରିଥିଲେ ମଧ୍ୟ ମହାନଦୀ ଓ ତେଲ ନଦୀରେ ବର୍ତମାନର ଜଳପ୍ରବାହକୁ ଦେଖିଲେ ଗ୍ରୀଷ୍ମରେ ଏହା ଜିଲାବାସୀଙ୍କ ଶୋଷ ମେଣ୍ଟାଇବାରେଯେ, ବିଫଳ ହେବ ବର୍ତମାନଠାରୁ ଜଳ ଜଳ ହୋଇ ଦେଖାଗଲାଣି।

ଭୂତଳ ଜଳସ୍ତର କମି ଯାଉଥିବାରୁ ଗ୍ରୀଷ୍ମ ନଆସୁଣୁ ଅନେକ ସ୍ଥାନରେ ଜମିର ମାଟି ଫାଟି ଆଁ କଲାଣି। ବୌଦ୍ଧ ସହରକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାନଦୀରୁ ଯୋଗାଇ ଦିଆଯାଉଥିବା ପାନୀୟଜଳର ଉତ୍ସ ଶୁଖିବାରେ ଲାଗିଛି। ମେସିନ ସାହାଯ୍ୟରେ ନଦୀର ବାଲି ହଟାଇ ସହରବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଅଛି। ଗ୍ରାମାଞ୍ଚଳର ପାନୀୟଜଳ ଅବସ୍ଥା ନକହିଲେ ଭଲ। ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ହରଭଙ୍ଗା ବ୍ଲକରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ତେବେ ମହାନଦୀ ଓ ତେଲ ନଦୀରେ ଜଳ ସଙ୍କଟ ଏହି ପ୍ରକଳ୍ପ ଗୁଡିକର ଭବିଷ୍ୟତ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଅଛି।

ବୌଦ୍ଧ ବ୍ଲକର ଅନେକ ସ୍ଥାନକୁ ପାନୀୟଜଳ ପାଇଁ ପାଇପ ବିଛା ହୋଇ ପାନୀୟଜଳ ଯୋଗାଣ ହେଉଥିଲେ ମଧ୍ୟ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚୁନଥିବା ଅଭିଯୋଗ ହେଉଅଛି। ଗ୍ରାମାଞ୍ଚଳର ନାଳ ପୋଖରୀ ଗୁଡିକ ଏବେଠାରୁ ଶୁଖିବାକୁ ବସିଲାଣି। ନଦୀରେ ଜଳଧାର ଶୁଷ୍କ ହୋଇଯିବା ଭୂତଳ ଜଳସ୍ତର କମିବାର ମୁଖ୍ୟକାରଣ ବୋଲି କୁହାଯାଉଅଛି। ଏହି ପରିସ୍ଥିତିରେ ଆଗୁଆ ସତର୍କ ନହେଲେ ଆଗାମୀ ଦିନରେ ଜିଲାରେ ଜଳ ସଙ୍କଟ ଗୁରୁତର ହେବାର ଆଶଙ୍କା ସ୍ପଷ୍ଟ ଜଣାପଡିଲାଣି। ଜିଲାରେ ଅନେକ ଜଳାଶୟକୁ ପୋତି ଘରବାରିରେ ପରିଣତ କରାଯାଉଥିବାବେଳେ ଜିଲା ପ୍ରଶାସନର ଅସାଧୁ କର୍ମଚାରୀମାନେ ଏଥିରେ ସହଯୋଗର ହାତ ବଢାଉଥିବା ନଜରକୁ ଆସୁଅଛି। ତେଣୁ ଜଳାଶୟ ଗୁଡିକର ସୁରକ୍ଷା,ପାନୀୟଜଳର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହିତ ଜଳସଙ୍କଟର ସଫଳ ମୁକାବିଲା କରିହେବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି।

kalyan agarbati

Comments are closed.