www.samajalive.in
Monday, December 15, 2025
16.1 C
Bhubaneswar

ଗାଁ ଠାରୁ ସହର ଯାଏ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳନ ପାଇଁ ବୌଦ୍ଧ ଜିଲାପାଳଙ୍କ ନିବେଦନ

ବୌଦ୍ଧ: ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲାରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ବୁଦ୍ଧ ଜୟନ୍ତୀ ଅବସରରେ ଜିଲାସାରା ଉତ୍ସବ ପାଳନ କରାଯିବାକୁ ବିଭିନ୍ନ ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା। ବୁଦ୍ଧ ଜିଲାର ସ୍ୱତନ୍ତ୍ର ପରିଚୟ ହୋଇଥିବାରୁ ଜିଲାର ପ୍ରବେଶ ଦ୍ୱାର ସୁବର୍ଣ୍ଣୟପୁର ଜିଲା ପଟରୁ ମନମୁଣ୍ଡା, ନୟାଗଡ ଓ କନ୍ଧମାଳ ଜିଲା ପଟରୁ ମାଧପୁର ଠାରେ ଦୁଇଗୋଟି ବୁଦ୍ଧମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ସହରର କେନ୍ଦ୍ରସ୍ଥଳ ବାଘଗୁଡା ଛକଠାରେ ମଧ୍ୟ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ପ୍ରତିମୂର୍ତ୍ତିଗୁଡିକ ପ୍ରସ୍ତୁତ କରାଯାଇ ଆଗାମୀ ବୁଦ୍ଧଜୟନ୍ତୀ ଅବସରରେ ଉନ୍ମୋଚନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ପ୍ରାଚୀନ ବୁଦ୍ଧ ପୀଠ ପରଗଳପୁର ଓ ଶ୍ୟାମସୁନ୍ଦରପୁରଠାରେ ବୁଦ୍ଧ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ବୁଦ୍ଧ ଜୟନ୍ତୀ ଅବସରରେ ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଚିତ୍ର ଲଗାଯାଇ ପୂଜାର୍ଚ୍ଚନା ଓ ସାମୁହିକ ଦୀପଦାନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା।

 

- Advertisement -

ଅହିଂସାର ପ୍ରତୀକ ବୁଦ୍ଧଙ୍କ ଜୟନ୍ତୀ ଅବସରେ ଜିଲ୍ଲାବାସୀ ମାଛ, ମାଂସ ଭକ୍ଷଣ ନକରିବାକୁ ଏବଂ ସମସ୍ତ ଅଧିବାସୀ ଘର ସମ୍ମୁଖରେ ପୂର୍ଣ୍ଣକୁମ୍ଭ ସ୍ଥାପନ ପୂର୍ବକ ଘରେ ଘରେ ପିଠା ପଣା କରି ଉତ୍ସବ ପାଳନ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଅପରାହ୍ଣରେ ରାମେଶ୍ୱର ମନ୍ଦିର ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ରାଜପ୍ରାସାଦ ନିକଟସ୍ଥ ବୁଦ୍ଧପୀଠ ଠାରେ ନିତିକାନ୍ତି ସହ ପୂଜାର୍ଚ୍ଚନା ଓ ଆଲୋଚନା ସଭା କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୁଦ୍ଧ ଜୟନ୍ତୀ ପାଳନ କମିଟିର ଆବାହକ ଦେବାଶିଷ ପୁରୋହିତ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ରାମଗଡ ସରପଂଚ ପ୍ରବାସିନୀ ଯୋଷୀ, ଜିଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର, ସ୍ଥପତି ସୁମନ ଷଡଙ୍ଗୀ, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିଳଲୋହିତ ମହାପାତ୍ର, ହରଭଙ୍ଗା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବାଶ ଚନ୍ଦ୍ର ଜାନୀ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ପରଗଳପୁର ଓ ଶ୍ୟାମସୁନ୍ଦରପୁର ଗ୍ରାମର ବୁଦ୍ଧ ଜୟନ୍ତୀ ପାଳନ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories