ବୌଦ୍ଧ : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ୧୭୪ ତମ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ କୋର୍ଟଛକଠାରେ ୮ ଫୁଟ ଉଚ୍ଚର ତାଙ୍କର ଏକ ପ୍ରତିମୂର୍ତ୍ତିକୁ ରାଜ୍ୟ ପୁର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କରକମଳରେ ଉନ୍ମୋଚନ କରାଯାଇଛି। ପୂର୍ବରୁ ଏହି ସ୍ଥାନରେ ମଧୁବାବୁଙ୍କ ସ୍ଥାପିତ ପ୍ରତିମୂର୍ତ୍ତିକୁ ରାସ୍ତା ସଂପ୍ରସାରଣ ପାଇଁ ହଟାଯାଇଥିଲା। ବର୍ତମାନ ମର୍ଜାକୁଦ ସେତୁ,ବୌଦ୍ଧ କଲେଜ ଓ ଜିଲା କୋର୍ଟର ପ୍ରମୁଖ ଛକରେ ମଧୁବାବୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ପୁର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନକୁ ସହରବାସୀ ପ୍ରସଂଶା କରିଛନ୍ତି।
ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ଓକିଲ ସଂଘର ସଭାପତି ତାରେଣି କୁମାର ମହାପାତ୍ର, ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାଶ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବରିଷ୍ଠ ଆଇନଜିବୀ ନବ କୁମାର ମିଶ୍ର, ନାରାୟଣ ପ୍ରସାଦ ପରିଜା, ଓମ ପ୍ରକାଶ ମିଶ୍ର,ଚନ୍ଦ୍ର ଶେଖର ପାଢିଙ୍କ ସମେତ ବହୁ ସଂଖ୍ୟାରେ ଆଇନଜିବୀ ଉପସ୍ଥିତ ଥିଲେ। ବୌଦ୍ଧର ପ୍ରସିଦ୍ଧ ମୂର୍ତ୍ତି କାରୀଗର ସ୍ୱର୍ଗତ ବାବାଜୀ ଚରଣ ସ୍ୱାଇଁଙ୍କ ପୁତ୍ର ଅନିଲ କୁମାର ସ୍ୱାଇଁ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଜଣାଯାଇଛି।



