ବୌଦ୍ଧ: ବିଭିନ୍ନ ପ୍ରସଙ୍ଗକୁ ନେଇ ବୌଦ୍ଧଜିଲା ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। କେତେବେଳେ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ରୋଗୀଙ୍କ ସଂପର୍କିୟଙ୍କୁ ଧମକଚମକ ତ କେତେବେଳେ ଚିକିତ୍ସାଳୟ ବାହାରେ ପ୍ରସବ ଓ ମହାପ୍ରୟାଣ ଗାଡି ନମିଳିବାରୁ ଶବ ବୋହି ନେଇଯିବା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ସବୁ ସମୟରେ ଚର୍ଚ୍ଚାରେ ରହିଛି। ଆଜି ଜିଲା ମୁଖ୍ୟକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର କ୍ୟାବିନ ମଧ୍ୟରେ ବର୍ଷାପାଣି ଜମା ହୋଇ ରହିବାପରେ ପାଣି ଭିତରେ ପଶି ରୋଗୀ ଓ ତାଙ୍କର ସଂପର୍କିର୍ୟମାନେ ଯିବା ଆସିବା କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପୁଣିଥରେ ଚର୍ଚ୍ଚାକୁ ଆସିଛି।
ସୂଚନା ମୁତାବକ ଦୁଇଦିନ ଧରି ଲଗାଣବର୍ଷାରେ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସହରର ଅନେକ ତଳି ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପ୍ରବେଶ କରିଛି। କିନ୍ତୁ ଜିଲା ମୁଖ୍ୟଚିକିତ୍ସାଳୟ ମଧ୍ୟରେ ରୋଗୀଙ୍କ ଚିକିତ୍ସା ପାଇଁ ଥିବା ସ୍ୱତନ୍ତ୍ର କ୍ୟାବିନ , ଯେଉଁ କ୍ୟାବିନ ପାଇଁ ରୋଗୀଙ୍କୁ ଦୈନିକ ୩ ଶହ ଟଙ୍କା ଦେବାକୁ ପଡିଥାଏ, ସେଠାରେ ବର୍ଷା ପାଣି ପଶି ଜମା ହୋଇରହିଥିବା ଦେଖାଯାଇଥିଲା। ଏହାକୁ ନେଇ କ୍ୟାବିନରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିବାରବର୍ଗ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଜିଲା ମୁଖ୍ୟଚିକିତ୍ସାଳୟର ପରିଚାଳନା ନେଇ ଅଭିଯୋଗ କରିଥିଲେ।
ତେବେ ରୋଗୀ ସେବାର ପୋଲ ଖୋଲିବା ଭୟରେ ଗଣମାଧ୍ୟମକୁ ଫଟୋ ଉଠାଇବାକୁ ବାରଣ କରୁଥିବା ସ୍ୱାସ୍ଥ୍ୟ ବିଭାଗର ଏହି ଦାୟିତ୍ୱହୀନତା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଆବଶ୍ୟକତା ଦୃଷ୍ଟିରୁ ଅଧିକ ସଂଖ୍ୟାରେ ସ୍ୱତନ୍ତ୍ର କ୍ୟାବିନ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି କରାଯାଉଥିବାବେଳେ ସ୍ଥାନାଭାବ ଦର୍ଶାଇ ଏହାକୁ ଏଡାଇ ଦିଆଯାଉଅଛି। କିନ୍ତୁ ରୋଗୀଙ୍କ ନିକଟରୁ ଅର୍ଥ ନେଇ ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର କ୍ୟାବିନର ଅବସ୍ଥା ଦେଖିଲେ ଜିଲା ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ନିତି ସ୍ପଷ୍ଟ ବାରି ହୋଇ ପଡୁଅଛି। ତେଣୁ ଜିଲା ପ୍ରଶାସନ ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ସ୍ୱତନ୍ତ୍ର କ୍ୟାବିନର ମରାମତି ସହ ନୂତନ କ୍ୟାବିନ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଉଅଛି।



