ବୌଦ୍ଧ: କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଳନ ପାଇଁ ରାଜ୍ୟ ସରକାର ସ୍ପଷ୍ଟ କରିସାରିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଚଳିତବର୍ଷ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପରେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ରଥଯାତ୍ରାର ପ୍ରସିଦ୍ଧି ରହିଛି। କାହିଁ ରାଜା ରାଜୁଡା ଅମଳରୁ ଶାସକ ରାଜାମାନଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ସରକାରଙ୍କ ଦ୍ୱାରା ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବୌଦ୍ଧରେ ତିନିଠାକୁରଙ୍କ ରଥଯାତ୍ରା ବନ୍ଦ କରାଯିବା ନେଇ ସ୍ପଷ୍ଟ ହୋଇଥିଲେ ମଧ୍ୟ ମନ୍ଦିର ପରିସରରେ ହିଁ ଏହି ପାରମ୍ପରିକ ଯାତ୍ରା ପାଳନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ମାତ୍ର ଚାରିଦିନ ପରେ ଠାକୁରଙ୍କ ସ୍ନାନ ପୁର୍ଣ୍ଣିମା ଆୟୋଜନ ହେବାକୁ ଯାଉଥିବାବେଳେ ଏନେଇ ଜିଲା ପ୍ରଶାସନ,ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ସ୍ନାନଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କ ରିତିନିତି ପାଳନ ପାଇଁ ପଣ୍ଡିତମାନଙ୍କ ଦ୍ୱାରା ଶୁଭଲଗ୍ନ ଧାର୍ଯ୍ୟ ହୋଇସାରିଥିବା ଜଣାପଡିଛି। ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ସହାୟତା ରାଶି ଯୋଗାଇଦେଇଥିବାବେଳେ ବିଧାୟକ ପାଣ୍ଠିରୁ ମଧ୍ୟ ସହଯୋଗରେ ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିରର ବେଢା ଓ ପାରିପାଶ୍ୱିକ ଉନ୍ନତିକରଣ କାର୍ଯ୍ୟ ଜାରିରହିଛି। ସ୍ନାନଯାତ୍ରା ପୂର୍ବରୁ ମନ୍ଦିର ବେଢାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବେଢା ମଧ୍ୟରେ ଲକ୍ଷ୍ମୀ, ଗଣେଶ, ବିମଳା, ଗଣେଶ ମନ୍ଦିରକୁ ନୂତନ ଭାବରେ ନିର୍ମାଣ କରାଯାଇ ୧୯ ତାରିଖ ଠାରୁ ତିନିଦିନ ଧରି ତାହାର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ପର୍ବ ଆରମ୍ଭ ହେବ ବୋଲି ଜଣାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଉପଜିଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂପୂର୍ଣ୍ଣ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଉନ୍ନୟନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ରଥଯାତ୍ରା ପୂର୍ବରୁ ପାରିପାଶ୍ୱିର୍କ ଉନ୍ନୟନ କାର୍ଯ୍ୟ ସମାପନ କରାଯିବାର ଲକ୍ଷ ରଖାଯାଇଛି। ମନ୍ଦିରର ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡକୁ ପ୍ରଶସ୍ତ କରାଯାଉଛି।
ଭକ୍ତଙ୍କ ପାଇଁ ପାର୍କିଂ, ପାନୀୟଜଳ ବ୍ୟବସ୍ଥା, ପୂଜା ସାମଗ୍ରୀ ବିକ୍ରୟ ଆଦି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। ଏହାବ୍ୟତୀତ ମନ୍ଦିର ପାଶ୍ୱର୍ରେ ଥିବା ଐତିହାସିକ ଗଡଖାଇକୁ ପୁନରୁଦ୍ଧାର କରାଯାଇ ସେହିଠାରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ରଥଯାତ୍ରା ପୂର୍ବରୁ ମନ୍ଦିର ଭିତରେ ଓ ବାହାରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟ ସମାପନ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜିଲାପାଳ ଶ୍ରୀ ମିଶ୍ରଙ୍କ ଉଦ୍ୟମକ୍ରମେ ମନ୍ଦିର ନିକଟରୁ ସମସ୍ତ ବେଆଇନ ଜବରଦଖଲ ହଟାଯାଇ ବିସ୍ଥାପିତଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଇଛି। ଫଳରେ ମନ୍ଦିରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମାପନ ପରେ ଏହା ସହରର ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



