ପ୍ରଶଂସା ସାଉଣ୍ଟିଲା ଗୋଷ୍ଠିଗତ ସହଭାଗିତାରେ ଜୀବନଜୀବିକା ବୃଦ୍ଧି, ବିଶ୍ୱ ବନ ଦିବସରେ ବୌଦ୍ଧ ବନଖଣ୍ଡକୁ ମିଳିଲା ପୁରଷ୍କାର

ହରଭଙ୍ଗା: ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଶୁକ୍ରବାର ଆୟୋଜିତ ବିଶ୍ୱ ବନ ଦିବସ କାର୍ଯ୍ୟକ୍ରମରେ ଗୋଷ୍ଠିଗତ ସହଭାଗିତାରେ ଜୀବନଜୀବିକା ବୃଦ୍ଧି ପାଇଁ ବୌଦ୍ଧ ବନଖଣ୍ଡକୁ ବିଭାଗକୁ ପୁରସ୍କୃତ କରାଯାଇଛି ।ଏହି ଅବସରରେ ଜଙ୍ଗଲ,ପରିବେଶ ,ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମସିଂଖୁଣ୍ଟିଆଙ୍କ ଠାରୁ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ପ୍ରଂଶସା ପତ୍ର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ ସୁରେଶ କୁମାର ପନ୍ଥ, ପିସିସିଏଫ (ବନ୍ୟପ୍ରାଣୀ) ପ୍ରେମକୁମାର ଝା ପ୍ରମୁଖ ଉପସ୍ଥିତ ଥିଲେ।

ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଧାନକଟା ପରେ କ୍ଷେତରେ ରହିଯାଉଥିବା ବଳକା ନଡାରୁ ଜିଆଖତ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆର୍ଥିକ ଶସକ୍ତିକରଣ ସହିତ ପରିବେଶ ସୁରକ୍ଷା ଲକ୍ଷ୍ୟ ନେଇ ବନଖଣ୍ଡ ପକ୍ଷରୁ ଜିଆଖତ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଜିଆଖତ ଉତ୍ପାଦନ କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ୧୦୪ଟି ବନସୁରକ୍ଷା ସମିତି ପକ୍ଷରୁ ଉତ୍ପାଦନ କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାସହିତ ୫୭ଟି ସ୍ୱୟଂସହୟକ ଗୋଷ୍ଠି ଏହି କାର୍ଯ୍ୟରେ ନିୟୋଜିତ ହୋଇ ବେଶ ରୋଜଗାରକ୍ଷମ ହୋଇପାରିଥିଲେ।

ଚଳିତବର୍ଷ ଫେବୃୟାରୀ ସୁଦ୍ଧା ୫ହଜାର ୨୦କ୍ବିଣ୍ଟାଲ ଜିଆଖତ ଉତ୍ପାଦନ କରାଯାଇଥିଲା। କ୍ବିଣ୍ଟାଲ ପିଛା ୨ହଜାର ଟଙ୍କା ଦରରେ ବିକ୍ରୀ କରାଯାଇଥିଲା । ବିଶେଷକରି ଜଙ୍ଗଲ ନର୍ସରୀ କାର୍ଯ୍ୟରେ ୨୫ହଜାର ୧ଶହ କ୍ବିଣ୍ଟାଲ ଜିଆଖତ ବ୍ୟବହାର ହୋଇଥିବାବେଳେ ପ୍ରାୟ ୧କୋଟି ୪୦ହଜାର ଟଙ୍କାର ଜିଆଖତ ଉତ୍ପାଦନ ହୋଇଥିଲା ।

ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ଏଭଳି ପ୍ରୟାସ ଯୋଗୁଁ ଖରାଦିନେ ବିଲରେ ନିଆଁଲାଗି ଅଙ୍ଗରାକାମ୍ଲ ସୃଷ୍ଟିକୁ ବହୁତ ମାତ୍ରାରେ ରୋକାଯାଇପାରିଥିଲା । ଯଦ୍ୱାରା ପରିବେଶ ସୁରକ୍ଷା ସହିତ ଜୀବନ ଜୀବିକା ବୃଦ୍ଧିରେ ଏହି ମହତ୍ ଜିଆଖତ ଉତ୍ପାଦନ ସହାୟକ ହୋଇପାରିଥିଲା।

ବୌଦ୍ଧ ବନଖଣ୍ଡ ପକ୍ଷରୁ ଏଭଳି ମହତ୍ ପଦକ୍ଷେପକୁ ଜଙ୍ଗଲ ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଂଶସା କରିବା ସହିତ ବନଖଣ୍ଡ ଅଧିକାରୀଙ୍କ ପ୍ରଚେଷ୍ଟାକୁ କୃତଜ୍ଞତା ଜଣାଇଛି ।

Comments are closed.