ଲୋକାର୍ପିତ ହେଲା ସୌରଜଗତ ଉପରେ ଆଧାରିତ ପୁସ୍ତକ ‘ଡାର୍କ ଲାଇଟ୍’
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଶ୍ରୀ ଶିବାନନ୍ଦ ଦାଶଙ୍କ ଦ୍ୱାରା ରଚୟିତ ସୌରଜଗତ ଉପରେ ଆଧାରିତ ପୁସ୍ତକ ‘ଡାର୍କ ଲାଇଟ୍’ ଉନ୍ମୋଚିତ ହୋଇଯାଇଛି। ଏହାକୁ ଦିବ୍ୟଜୀବନ ସଂଘ ତଥା ଶିବାନନ୍ଦ ସେଣ୍ଟନାରୀ ବାଳକ ବିଦ୍ୟାଳୟ ସଂପାଦକ ସ୍ୱାମୀ ଜଗନ୍ନାଥ ନନ୍ଦ ଜୀ ସରସ୍ୱତୀ ମହାରାଜ ଉନ୍ମୋଚନ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅଭୟ କୁୂମାର ନାୟକ ପ୍ରତିଷ୍ଠାନର ବହୁମୁଖି ଗବେଷଣା ମୂଳକ କାର୍ଯ୍ୟ ଶିବାନନ୍ଦ ଦାଶଙ୍କ ଦ୍ୱାରା ରଚିତ ପୁସ୍ତକ ‘ଡାର୍କ ଲାଇଟ୍’ ଉପରେ ଏକ ସମୀକ୍ଷାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ ଯାହାକି ଯୁଗୋପଯୋଗୀ ଭବିଷ୍ୟତ ପିଢିଙ୍କ ପାଇଁ ମାର୍ଗଦର୍ଶକ ହୋଇ ରହିବ ବୋଲି କହିଥିଲେ। ପ୍ରଫେସର ନିରଞ୍ଜନ ବାରିକ ଶିବାନନ୍ଦଙ୍କ ଦ୍ୱାରା ରଚିତ ପୁସ୍ତକର ବିଷୟବସ୍ତୁ ସଠିକ୍ ତଥ୍ୟ ଓ ତତ୍ୱ ରଚନା ଶୈଳୀ ଓ ଶବ୍ଦ ସଂଯୋଜନାର ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଛାତ୍ର ତଥା ଯୁବସମାଜ ସୌର ଜଗତ ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ‘ଡାର୍କ ଲାଇଟ୍’ ପୁସ୍ତକ ମାର୍ଗଦର୍ଶକ ହେବ ବୋଲି ମତପ୍ରକାଶ କରିଥିଲେ।
ଏହି ଅବସରରେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା ନିମିତ୍ତ ଗବେଷକ, ବୁଦ୍ଧିଜୀବିିମାନଙ୍କ ପଠନ ଉଦ୍ଦେଶ୍ୟରେ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ପଠନ ଗୃହ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଦୀର୍ଘ ୪୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା ଜାରି ରହିଥିବାରୁ ପ୍ରଶଂସା କରିଥିଲେ। ସେହିପରି ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ୱରେ ପହଞ୍ଚାଇବା ପ୍ରତିଷ୍ଠାନର ମୁଖ୍ୟ ଭୂମିକା ହେଉ ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ପ୍ରଫେସର ସୁରେନ୍ଦ୍ରନାଥ ଦାଶ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣା ଜାରି ରଖିବା ଦରକାର ବୋଲି ମତ ଦେଇଥିଲେ। ସୌର ଜଗତରେ ଗ୍ରହମାନଙ୍କ ଉତ୍ପତ୍ତି ଓ ସେମାନଙ୍କ ପ୍ରଭାବ ସଂପର୍କରେ ବେଦ, ଉପନିଷଦରୁ ଉଦ୍ଧୃତ ଏହା ଏକ ସଂଗ୍ରହ ବୋଲି ପ୍ରକାଶ କରିଥିଲେ।
ପ୍ରତିଷ୍ଠାନର ସାଧାରଣ ସଂପାଦକ ପ୍ରମୋଦ କୁମାର ପରିଡ଼ା, ସଂପାଦକ ନାରାୟଣ ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଂକ୍ଷିକ୍ତ ବିବରଣୀ ପ୍ରଦାନ କରିଥିଲେ। ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରତିଷ୍ଠାନର କୋଷାଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.