www.samajalive.in
Monday, December 8, 2025
14.1 C
Bhubaneswar

ଦେଦର୍ହରେ ଝାଡାବାନ୍ତି – ଆଈ ପଛେ ପଛେ ଆଖି ବୁଜିଲା ନାତି, ୩ ଗୁରୁତ ହୋଇଥିବା ସୂଚନା

ଖପ୍ରାଖୋଲ- :ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତର ଦେଦର୍ହ ଗାଁରେ ଝାଡାବାନ୍ତିରେ ଆଇ ଓ ନାତିର ମୃତ୍ୟୁ ହୋଇଛି । ଗାଁର ୩ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ସୂଚନା ପାଇ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ଗାଁକୁ ଯାଇଥିଲେ । ଗାଁର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଣ୍ଟିଥିଲେ । ଅନ୍ୟ ଗାଁକୁ ଯେମିତି ଝାଡାବାନ୍ତି ନବ୍ୟାପିବ ସେଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି । ତେବେ ଦୂଷିତ ପିଇବା ପାଣି ଯୋଗୁଁ ଲୋକେ ଏଭଳି ଝାଡାବାନ୍ତିର ଶିକାର ହୋଇଥିବା ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨/୩ ଦିନ ହେଲା ଦେଦର୍ହ ଗାଁରେ ଝାଡାବାନ୍ତି ଆରମ୍ଭ ହୋଇଥିଲା । ଔଷଧ ଖାଇ ଠିକ୍‌ ହୋଇଯିବେ ବୋଲି ଭାବିଥିଲେ । ତେବେ ଗାଁର କୁମାରୀ ମେହେର(୪୮) ଗୁରୁତର ହେବାରୁ ତାଙ୍କୁ ରବିବାର ସନ୍ଧ୍ୟାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରଣ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାର ଲୋକେ କୁମାରୀଙ୍କୁ ବୁର୍ଲା ନେବା ପାଇଁ ଆମ୍ବୁଲାନ୍ସ ଆଦି ଠିକ୍‌ କରି ସାରିଥିଲେ । ତେବେ ବୁର୍ଲା ନେବା ପୂର୍ବରୁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଗାଁକୁ ନେଇ ଶେଷକୃତ୍ୟ କରିବାକୁ ଯାଇଥିଲେ । ମୃତ କୁମାରୀଙ୍କ ଝିଅ ବାସନ୍ତୀଙ୍କ ୧୧ ବର୍ଷର ପୁଅ ବବଲୁ ମେହେର ଝାଡାବାନ୍ତିରେ ଗୁରୁତର ହେବାରୁ ତାଙ୍କୁ ପାଟଣାଗଡ ନିଆଯାଇଥିଲା । ଗାଁ ଲୋକେ କୁମାରୀଙ୍କ ଶେଷକୃତ୍ୟ କରିଥିବା ବେଳେ ସକାଳେ ବବଲୁ ବି ଆଖି ବୁଜି ଦେଇଥିଲେ । ମୃତ ବବଲୁଙ୍କୁ ନେବା ପାଇଁ କେହି ନଥିଲେ । ଶେଷରେ ମାମୁଁ ଏକ ବାଇକ୍‌ରେ ବବଲୁଙ୍କ ଶବକୁ ଗାଁକୁ ନେଇଯାଇଥିଲେ । ନିୟମ ଅନୁସାରେ ବବଲୁର ଶବକୁ ପୋତା ଯାଇଥିଲା । ଆଈ-ନାତିଙ୍କ ମୃତ୍ୟୁ ଯୋଗୁଁ ମେହେର ପରିବାରରେ ଦୁଃଖ ଲଦି ହୋଇପଡିଛି । ଅନ୍ୟପଟେ ଗାଁର ପ୍ରାୟ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ପାଇ ସୋମବାର ସକାଳେ ବଲାଙ୍ଗିର ଡିପିଏଚ୍‌ଓ ଡା.ଦିବ୍ୟକିଶୋର ପତିଙ୍କ ନେତୃତ୍ୱରେ ୫ଜଣିଆ ଦଳ ଔଷଧ ନେଇ ଗାଁରେ ପହଞ୍ଚିଥିଲେ । ସେହିପରି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା.ସୁରଜ ଦୀପ, ଡା.ମୀନତି ହେମ୍ବ୍ରମ ଓ ଅନ୍ୟମାନେ ଦେଦର୍ହ ଗାଁକୁ ଯାଇଥିଲେ । ଗାଁ କଲ୍ୟାଣ ମଣ୍ଡପରେ କ୍ୟାମ୍ପ କରି ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଆବଶ୍ୟକୀୟ ଔଷଧ ବିତରଣ କରିଥିଲେ ।

- Advertisement -

ସେହିପରି ବଲାଙ୍ଗିର ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍‌ଓ) ଡା.ସ୍ନେହଲତା ସାହୁ, ପାଟଣାଗଡ ଉପ ଜିଲାପାଳ ଦାୟିତ୍ୱରେ ଥିବା ତହସିଲଦାର ଡା.ପୁଷ୍ପାଞ୍ଜଳି ପଣ୍ଡା, ସହକାରୀ ଉପ ଜିଲାପାଳ କ୍ଷୀରୋଦ୍ର ସାହୁ, ଖପ୍ରାଖୋଲ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚି କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଲା ତାର ଯାଞ୍ଚ କରିଥିଲେ । ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ, ଲୋକେ ଦୂଷିତ ପାଣି ପିଉଥିବାରୁ ଏଭଳି ଝାଡାବାନ୍ତିର ଶିକାର ହେଲେ ବୋଲି ପଡିଆବାହାଲ ପଞ୍ଚାୟତର ସରପଞ୍ଚ ଦେବରାଜ ପ୍ରଧାନ ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଦେଦର୍ହ ଝାଡାବାନ୍ତି ଖବର ପରେ ଜିଲାପାଳ ଚଞ୍ଚଳ ରାଣା ସ୍ୱାସ୍ଥ୍ୟ ବିଭାଗ, ପାଟଣାଗଡ ଉପଖଣ୍ଡ ପ୍ରଶାସନ ସହ ଖପ୍ରାଖୋଲ ବ୍ଲକ ପ୍ରଶାସନକୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶେଷ କରି ଦେଦର୍ହ ଗାଁକୁ ଜିଲାପାଳ ଶ୍ରୀ ରାଣା ଯାଇଥିଲେ । ସେଠାରେ ମୃତ ଆଈ କୁମାରୀ ମେହେର ଓ ନାତି ବବଲୁ ମେହେରଙ୍କ ପରିବାରକୁ ୩୦ ହଜାର ଟଙ୍କାର ୨ଟି ଚେକ୍‌ ଦେଇଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀ ପ୍ରଧାନ ମୃତକଙ୍କ ପରିବାରର ଅବସ୍ଥା ସଂପର୍କରେ ଜଣାଇବା ସହ ସେମାନଙ୍କୁ ସରକାରୀ ଯୋଜନାରେ ଥିବା ସୁବିଧାରେ କେମିତି ସାମିଲ କରାଯାଇପାରିବ ସେ ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଖବର ଲେଖା ହେବା ବେଳକୁ ଝାଡାବାନ୍ତି କାରଣରୁ ଦେଦର୍ହ ଗାଁର ଡମନୀ ଜାନି(୪୫), ରଶ୍ମିତା ମେହେର(୩୬)ଙ୍କୁ ପାଟଣଗଡ ଉପଖଣ୍ଡ ଡାକ୍ତରଖାନା ଓ ହେମନ୍ତ ମାଝୀ(୨୬)ଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପ୍ରାୟ ୧୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନେ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶରେ ଔଷଧ ଖାଉଛନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଝାଡାବାନ୍ତିରେ ଆଈ-ନାତିଙ୍କ ମୃତ୍ୟୁ ଓ ଏକାଧିକ ଆକ୍ରାନ୍ତ ହୋଇଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଦେଖାଦେଇଛି । ଭୟ ହେବାର କିଛି ନାହିଁ । ଲୋକେ ସଚେତନ ହେବା ସହ ଝାଡାବାନ୍ତି କେମିତି ନବ୍ୟାପିବ ସେଥିପାଇଁ ସତର୍କ ହୁଅନ୍ତୁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ ବୋଲି ଜିଲାପାଳ ଶ୍ରୀ ରାଣା କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories