ବଲାଙ୍ଗିର: ବୁଲା ଗାଈ ବଳଦଙ୍କ ଯୋଗୁଁ ବିଭିନ୍ନ ସମୟରେ ବଲାଙ୍ଗିର ସହରରେ ଦୁର୍ଘଟଣା ଘଟୁଛି। ତେଣୁ ଦୀର୍ଘ ଦିନରୁ କାଞ୍ଜିଆ ହୁଦା ଆରମ୍ଭ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ତେବେ ଏହାର ବିକଳ୍ପ ସମାଧାନ ବାଟ ବାହାର କରିଛି ବଲାଙ୍ଗିର ଜିଲା ପ୍ରଶାସନ ଓ ପୌରପାଳିକା। ଗାଈ ବଳଦ ମାଲିକ ନିଜ ଗାଈ ବଳଦଙ୍କୁ ଘରେ ନରଖି ରାସ୍ତାରେ ଛାଡିଲେ ତଣ୍ଡ ଗଣିବେ। ସାତ ଦିନ ମଧ୍ୟରେ ଯଦି ମାଲିକ କିଛି ପଦକ୍ଷେପ ନନିଅନ୍ତି ତା’ହେଲେ ଗାଈ ବଳଦଙ୍କୁ ନିଲାମ କରାଯିବ ବୋଲି ଚେତାବନୀ ଦିଆଯାଇଛି ପୌରପାଳିକା ପକ୍ଷରୁ। ଏନେଇ ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣା ବି କରାଯାଇଛି ସହରରେ। ପୂର୍ବରୁ ବିନା ଦ୍ୱିଧାରେ ସହର ମଧ୍ୟରେ ଗାଈ ବଳଦ ଛାଡୁଥିବା ମାଲିକମାନଙ୍କ ମଧ୍ୟରେ ଛନକା ପଶିଛି।
ସୂଚନା ଅନୁସାରେ, ବଲାଙ୍ଗିର ସହରରେ ବୁଲା ଗାଈ ବଳଦଙ୍କ ପାଇଁ ସମସ୍ୟା ଅନେକ ହେଉଛି। ସହରରେ ମାଳ ମାଳ ଗାଈ ବଳଦ, ସେମାନଙ୍କ ସଂଖ୍ୟା ହଜାରେରୁ ଉର୍ଦ୍ଧ ହେବ। କେଉଁଠି ରାସ୍ତା କବ୍ଜା କଲେଣି ତ ଦୈନିକ ବଜାରରେ ପରିବାର ଦୋକାନୀଙ୍କ ପରିବା ଖାଇ ଗଲେଣି। ରାତି ଅନ୍ଧାରରେ ଲୋକେ ଗାଈ ବଳଦଙ୍କୁ ଜାଣି ନପାରି ଦୁର୍ଘଟଣାର ଶିକାର ବି ହେଉଛନ୍ତି। କିଛି ଲୋକଙ୍କ ପ୍ରାଣ ବି ଯାଉଛି। ତେଣୁ ବୁଲା ଗାଈ ବଳଦଙ୍କୁ ଅବାଧରେ ବଜାର, ରାସ୍ତା ଉପରକୁ ଛାଡୁଥିବା ମାଲିକମାନଙ୍କ ଉପରେ ପୌରପାଳିକା କଠୋର ପଦକ୍ଷେପ ନେବାକୁ ଯାଉଛି। ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ କହିବା ଅନୁସାରେ, ପ୍ରଶାସନ ଓ ଗୋଶାଳା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଅବାଧରେ ବୁଲୁଥିବା ଗାଈ ବଳଦଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ନିର୍ମାଣ ହୋଇଥିବା ବିକଳ୍ପ କେନ୍ଦ୍ରରେ ରଖାଯିବ। ୭ ଦିନ ମଧ୍ୟରେ ଗାଈ ବଳଦ ମାଲିକ ଅଢେଇ ଶହ ଟଙ୍କା ଜରିମାନା ଗଣି ତାଙ୍କ ଗାଈ ବଳଦଙ୍କୁ ନେଇପାରିବେ। ନହେଲେ ଗାଈ ବଳଦଙ୍କୁ ନିଲାମ କରାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ନିର୍ବାହୀ ଅଧିକାରୀ ଶ୍ରୀ ଦୀପ। ବିଳମ୍ବରେ ହେଲେ ମଧ୍ୟ ପୌରପାଳିକା ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।



