ପୃଥକ ପୃଥକ ୩ ଦୁର୍ଘଟଣା: ୧ମୃତ, ୩ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୁରୁବାର ୩ଟି ପୃଥକ ପୃଥକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।

ସୂଚନା ଅନୁସାରେ, ଗୁରୁବାର ସକାଳେ ତାଲପାଲିପଡ଼ାରେ ରହୁଥିବା ଜୟଚନ୍ଦ୍ର ପଣ୍ଡା ପତ୍ନୀ ପ୍ରତିଭା ପଣ୍ଡାଙ୍କୁ ବାଇକରେ ବସାଇ ନିଜ ଗାଁ ସଇଁନ୍ତଲା ବ୍ଲକ କନ୍ଧକେଲ ଗାଁକୁ ନୂଆଖାଇ ପାଇଁ ଯାଉଥିଲେ। କରେଲଧୁଆ ନିକଟ ବୁଲାଣିରେ ବାଇକ୍‍ର ଭାରସାମ୍ୟ ହରାଇ ଶ୍ରୀ ପଣ୍ଡା ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ଶ୍ରୀ ପଣ୍ଡାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଛନ୍ତି। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେହିପରି ଦିନ ୧ଟା ୪୦ ସମୟରେ ବଲାଙ୍ଗିର ସୁଦପଡ଼ା ଛକରେ ଥିବା ଏକ ଘରୋଇ ନର୍ସିଂ ହୋମକୁ ବେହେରାପାଲିର ସୁମିତ ଦୀପ(୨୪) ଓ ବଜରଙ୍ଗ ସୁନା(୨୧) ବାଇକ ଯୋଗେ ଘରକୁ ଫେରୁଥିଲେ। ସୁଦପଡ଼ା ହନୁମାନ ମନ୍ଦିର ନିକଟ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଲୁହା ବାଡରେ ବାଇକ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚଳାଉଥିବା ସୁମିତଙ୍କ ମୃତ୍ୟୁ ହୋଇଥିଲା। ଆହତ ବଜରଙ୍ଗଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାସ୍ତାରେ ବିଦ୍ୟୁତ ଖୁଣ୍ଟ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୁମିତଙ୍କ ମୃତ୍ୟୁରେ ବେହେରାପାଲି ଅଞ୍ଚଳରେ ଶୋକପ୍ରକାଶ ପାଇଛି। ସେହିପରି ପାଟଣାଗଡ଼ରୁ ବଲାଙ୍ଗିର ଆଡକୁ ବାଇକରେ ଆସୁଥିବା ଜଣେ ଅଜଣା ବ୍ୟକ୍ତି ବାନ୍ଧନବାଡି ବସ୍‍ଷ୍ଟାଣ୍ଡ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ରାସ୍ତା କଡ଼ରେ ଥିବା ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଗୁରୁତର ହୋଇଥିବା ଜଣାପଡ଼ିଛି।

Comments are closed.