ସକାଳେ ଶୂନଶାନ, ସନ୍ଧ୍ୟାରେ ଟ୍ରାଫିକ ଜାମ୍‍

ବଲାଙ୍ଗିର: ବଲାଙ୍ଗିର ସହରରେ ଗୁରୁବାର ଅଘୋଷିତ କର୍ଫ୍ୟୁ ଜାରି ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। କାରଣ ନୂଆଖାଇ ପାଇଁ ବୁଧବାର ଅପରାହ୍ନରୁ ଦୋକାନ ବଜାର ବନ୍ଦ ହୋଇ ସାରିଥିଲା। କର୍ମଚାରୀମାନେ ଛୁଟିରେ ଯାଇଥିଲେ। ସରକାରୀ, ଘରୋଇ ସବୁଠି ତାଲା ଝୁଲୁଥିଲା। ଟ୍ରାଫିକ ପୋଷ୍ଟରେ ପୁଲିସ ନଥିଲେ ତ ଭୀମ ଭୋଇ ଡାକ୍ତରଖାନାରେ କାଁ ଭାଁ ରୋଗୀ। ସକାଳୁ କିଛି ତେଜରାତି, ଜଳଖିଆ, ଔଷଧ ଦୋକାନ ଖୋଲାଥିଲା। ବେଶ ଭିଡ ସେଠାରେ ଲାଗିଥିଲା। କିନ୍ତୁ ସକାଳ ୧୦ଟା ପରେ ଚୁପଚାପ ସହର। ରାସ୍ତାଘାଟ ଖାଁ ଖାଁ। ନୂଆଁଖାଇ ଲଗ୍ନ ଅନୁସାରେ, ସକାଳ ୧୦ଟା ୫୪ରୁ ୧୧ଟା ୦୮ ଯାଏ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ସମଲେଇ ମନ୍ଦିରରେ ଭକ୍ତମାନେ ଭିଡ ଜମାଇଥିଲେ। ମା’ଙ୍କ ପାଖରେ ନବାନ୍ନ ଓ ଭୋଗ ଲାଗି ହେବା ପରେ ଭକ୍ତମାନଙ୍କୁ ବଣ୍ଟା ଯାଇଥିଲା। ବାଜା, ଘଣ୍ଟ ଓ ଶଙ୍ଖରେ ସମଲେଇ ମନ୍ଦିର ପରିସର କମ୍ପି ଉଠିଥିଲା। କେବଳ ସମଲେଇ ମନ୍ଦିର ନୁହେଁ, ମା’ ଦୁର୍ଗାଙ୍କ ମନ୍ଦିର, ପାଟଣେଶ୍ୱରୀ ଭଳି ଦେବାଦେବୀ ମନ୍ଦିରକୁ ଯାଇ ଭକ୍ତମାନେ ନୂଆଖାଇ ଅବସରରେ ପୂଜାର୍ଚ୍ଚନା କରିଥିଲେ। ତେବେ ଭୀମ ଭୋଇ ଡାକ୍ତରଖାନାରେ ସବୁ ଦିନିଆ ଭିଡ ନଥିଲା। ଗହଳ ଚହଳ ହେଉଥିବା ଡାକ୍ତରଖାନା ପରିସର ଦୃଶ୍ୟ ପୂରା ଓଲଟା ରହିଥିଲା।

ସେହିପରି ୨ ଚକିଆ, ୪ ଚକିଆ ଗାଡି ମାଲିକମାନେ ନୂଆଁଖାଇ ଛୁଟି ପାଇଁ ବୁଧବାର ସନ୍ଧ୍ୟାରୁ ଲାଇନ୍‍ ଲଗାଇଥିଲେ। ଗୁରୁବାର ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ଥିବାରୁ ବିଭିନ୍ନ ପମ୍ପ ସମ୍ମୁଖରେ ଲିଟର୍‍ ପିଛା ୧୨୦ ଟଙ୍କା ହିସାବରେ ପେଟ୍ରୋଲ ବିକ୍ରି ହେଉଥିବା ଦେଖା ଯାଇଥିଲା। ଗାଡି ଚାଳକମାନେ ମଧ୍ୟ ପେଟ୍ରୋଲ ଭରିବାକୁ ଏକପ୍ରକାର ବାଧ୍ୟ ହୋଇପଡ଼ିଥିଲେ। ତେବେ ଘରେ ଘରେ ନବାନ୍ନ ଭକ୍ଷଣ ପରେ ଜୁହାର ଭେଟ, ନାଚଗୀତର ଆସର ଜମିଥିଲା। ଦିନ ୪ଟା ପରେ ପୁଣି ସହର କୋଳାହଳମୟ ହୋଇ ଉଠିଥିଲା। ବନ୍ଧୁ, ସଂପର୍କୀୟମାନଙ୍କୁ ଭେଟିବା ପାଇଁ, ଜୁହାର ଭେଟ ଜଣାଇବା ପାଇଁ ଅନେକେ ଘରୁ ବାହାରିଥିଲେ। ତେଣୁ ଟ୍ରାଫିକ ନିୟନ୍ତ୍ରଣ ପୁଲିସ ପାଇଁ କଷ୍ଟଦାୟକ ହୋଇପଡ଼ିଥିଲା।

Comments are closed.