ଚିନ୍ତାରେ ପିଆଜ ଚାଷୀ; ଲାଭ ତ ଦୂରରେ ମିଳୁନି ପରିଶ୍ରମର ପାଉଣା
ବଲାଙ୍ଗିର: ପରିଶ୍ରମ ତୁଳନାରେ ପିଆଜ ଚାଷୀଙ୍କୁ ମିଳୁନି ପ୍ରାପ୍ୟ । ପିଆଜର ବର୍ଦ୍ଧିତ ମୂଲ୍ୟ ଯୋଗୁ କିଛି ମାସ ତଳେ ପଖାଳ କଂସାରୁ ପିଆଜ ଉଭାନ୍ ମାରିଥିବା ବେଳେ ଏବେ ପିଆଜ ଚାଷୀ ସଠିକ୍ ପ୍ରାପ୍ୟ ନପାଇ ମୁଣ୍ଡରେ ହାତ ଦେଇଛନ୍ତି । ଚାଷ ପାଇଁ ଖର୍ଚ୍ଚ କରିଥିଲେ ବି ସେହି ଅନୁସାରେ ପ୍ରାପ୍ୟ ନପାଇ ଦୟନୀୟ ଅବସ୍ଥାରେ ରହିଛନ୍ତି ବଲାଙ୍ଗିର ଜିଲ୍ଲାର ପିଆଜ ଚାଷୀ ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡର ସଇଁନ୍ତଲା, ଟିଟିଲାଗଡ, ମୁରିବାହାଲ, ବଙ୍ଗୋମୁଣ୍ଡା ସହ ପାଟଣାଗଡ ଉପଖଣ୍ଡର ବେଲପଡ଼ା, ପାଟଣାଗଡ ଓ ଖପ୍ରାଖୋଲ ବ୍ଲକରେ ଅନେକ ଚାଷୀ ପିଆଜ ଚାଷ କରନ୍ତି । ଏବେ ପିଆଜ ଅମଳ ସମୟ । ଠିକ୍ ଅମଳ ସମୟରେ ଖସି ଯାଇଛି ପିଆଜ ଦାମ୍ । ଆଉ ବାଧ୍ୟ ହୋଇ ଚାଷୀ ଶାଗମାଛ ଦରରେ ବେପାରୀଙ୍କୁ ପିଆଜ ଟେକି ଦେଉଛନ୍ତି । ପାଟଣାଗଡ ହେଉ କି ଟିଟିଲାଗଡ ଉପଖଣ୍ଡ । ପିଆଜ ଚାଷୀ କ୍ୱିଣ୍ଟାଲ ପିଆଜ ବିକ୍ରିକଲେ ୭ଶହରୁ ୮ଶହ ଟଙ୍କା ପାଉଛନ୍ତି । ଅଭାବୀ ବିକ୍ରି ଯୋଗୁଁ କିଛି ଚାଷୀ କ୍ଷେତରେ ହିଁ ପିଆଜ ଅମଳ ନକରି ଛାଡି ଦେଇଛନ୍ତି । ଏଥର ପିଆଜ ଚାଷରେ ଅର୍ଥ ବିନିଯୋଗ କରିଥିବା ଚାଷୀ ଋଣ ପରିଶୋଧ ପାଇଁ ଚିନ୍ତିତ । ସେମାନଙ୍କ ପରିଶ୍ରମ ପାଣିରେ ଗଲା ବୋଲି ପିଆଜ ଚାଷୀମାନେ ମତ ଦେଉଛନ୍ତି । ସୂଚନା ଅନୁସାରେ, ପ୍ରତି ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପିଆଜ ଅମଳ ହୋଇଥାଏ । ଡହ ଡହ ଖରାରେ କ୍ଷେତରୁ ପିଆଜ ଅମଳ କରୁଥିବା ଚାଷୀ ଏଥର କାଳବୈଶାଖୀର ଶିକାର ହୋଇଛନ୍ତି । ଘୋର କ୍ଷତି ସହିଥିବା କହୁଛନ୍ତି । ଆଗକୁ କାଳେ ପିଆଜର ବଜାର ମୂଲ୍ୟ ବୃଦ୍ଧି ହେବ ସେ ଆଶାରେ କିଛି ଚାଷୀ ପିଆଜ ଅମଳ କରିବା ପରେ ବି ବିକ୍ରି କରୁନାହାନ୍ତି । ଘରେ ପିଆଜ ଗଦା କରି ରଖିଛନ୍ତି । ପିଆଜ ପଚି ଯାଉଥିବା ବେଳେ ସେମାନଙ୍କ ପାଖରେ ସଂରକ୍ଷଣ ସୁବିଧା ନାହିଁ ।
Comments are closed.