ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଏସ୍ୟୁସିଆଇ(ସି)ର ବିକ୍ଷୋଭ
ବଲାଙ୍ଗିର: ଏସ୍ୟୁସିଆ(କମ୍ୟୁନିଷ୍ଟ) ପାର୍ଟି ବଲାଙ୍ଗିର ଜିଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡିଛି । ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ଫେରି ପାଇ ନାହାନ୍ତି । କୋଟି କୋଟି ଯୁବକ/ଯୁବତୀ ବେରୋଜଗାର ହୋଇ ବସିଛନ୍ତି । ପେଟ୍ରୋଲ, ଡିଜେଲ ତଥା ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ରନ୍ଧନ ଗ୍ୟାସ ଭଳି ଅତ୍ୟନ୍ତ ଜରୁରୀ ସାମଗ୍ରୀର ଦାମ୍ ବଢାଇବା ଅତ୍ୟନ୍ତ ବେଦନାଦାୟକ ।
ସରକାର ଉଜ୍ଜ୍ୱଳା ଯୋଜନା ନାଁରେ ସାଧାରଣ ଗରିବ ଲୋକଙ୍କୁ ଗ୍ୟାସରେ ରାନ୍ଧିବାର ସୁବିଧା ଦେଇ କେବଳ ଧୂଆଁବାଣ ମାରୁଛନ୍ତି । କିନ୍ତୁ ଗୋଟିଏ ପରିବାର ପ୍ରଥମ ଥର ରନ୍ଧନ ଗ୍ୟାସ ପାଇଲା ପରେ ପୁଣି ରନ୍ଧନ ଗ୍ୟାସ ଭରିପାରୁନାହାନ୍ତି । କାରଣ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକେ କିଣିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏସ୍ୟୁସିଆଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରାଯାଉ ବୋଲି ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ରଣା, ମଧୁସୁଦନ ବାଗ, ତ୍ରିଲୋଚନ ସାହୁ, ସିଦ୍ଧାନ୍ତ ମହାକୁର, ପ୍ରମୋଦ ତାଣ୍ଡି ସହିତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Comments are closed.