ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ
ଆଠଗଡ : ସପ୍ତରାଜ୍ୟ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଭିରୁଡା ପଞ୍ଚାୟତ ଅନ୍ତର୍ଗତ ଗୋଡିଝରିଆଠାରେ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୨୪ତମ ବୋଇତ ବନ୍ଦାଣ ଉତ୍ସବ ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ବିଶେଷକରି ଗତ ୨୩ବର୍ଷ ଧରି କାର୍ତ୍ତିକ ପୂର୍ଣ୍ଣିମା ଦିନ ଓ ତା ପୂର୍ବଦିନ ଗୋଡିଝରିଆଠାରେ ଏହି ପର୍ବ ପାଳିତ ହୋଇଆସୁଛି। ତୈଳିକ ବୈଶ୍ୟ ସମାଜର ସାଧବ ପୁଅମାନେ ପୂର୍ବକାଳରେ ବିଦେଶକୁ ନୌବାଣିଜ୍ୟ ପାଇଁ ଯାଇ ସେଠାରୁ ଘରକୁ ଫେରିଥାନ୍ତି । ସେମାନେ ଯିବା ସମୟରେ ଓ ଫେରିବା ପରେ ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେବା ଓ ଫେରିବା ସମୟରେ ସ୍ୱାଗତ କରି ପାଛୋଟି ଆଣିଥାନ୍ତି । ଏହି ପରମ୍ପରକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ତୈଳିକ ଜାତିର ଲୋକେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିଥାନ୍ତି । ଗୋଡିଝରିଆ ତୈଳିକ ବୈଶ୍ୟ ସମାଜର ପାଞ୍ଚସାହି ବେହେରାମାନେ ପ୍ରତିବର୍ଷ ଏହି ଉତ୍ସବ ପାଳନ କରିଆସୁଛନ୍ତି। ଚଳିତବର୍ଷ ସୋମବାର ସନ୍ଧ୍ୟାରେ ୫ସାହି ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଲୋକମାନେ ସାଧବପୁଅ ବେଶରେ ସଜ୍ଜିତ ହୋଇ ଏକ ବିରାଟ ସୁସଜ୍ଜିତ ବୋଇତରେ ପାଞ୍ଚସାହି ନଗର ପରିକ୍ରମା କରିଥିଲେ। ଏହି ନଗର ପରିକ୍ରମା ସମୟରେ ପ୍ରତ୍ୟେକ ଘର ସମ୍ମୁଖରେ ସାଧବ ବୋହୂମାନେ ଦୀପ, ଧୂପ ସହିତ ହୁଳହୁଳି ହରିବୋଲ ପକାଇ ବୋଇତକୁ ବନ୍ଦାପନା କରିଥିଲେ। ମଙ୍ଗଳବାର ପ୍ରତ୍ୟୁଷରେ ଗୋଡିଝରିଆ ଗ୍ରାମ ନିକଟବର୍ତ୍ତୀ ସାପୁଆ ନଦୀକୂଳରେ ସାଧବ ପୁଅ ଓ ସାଧବ ବୋହୂମାନେ ସମବେତ ହୋଇ ‘ଆ କା ମା ବୈ, ଗୁଆପାନ ଥୋଇ…’ ଗାନ କରିବା ସହିତ ହରିବୋଲ ହୁଳହୁଳି ମଧ୍ୟରେ ବୋଇତ ଭସାଣ କରିଥିଲେ। ଏହି ଉତ୍ସବକୁ ଦେଖିବା ପାଇଁ ଗୋଡିଝରିଆ ଗ୍ରାମର ଶତାଧିକ ଲୋକଙ୍କର ସମାଗମ ସାପୁଆନଦୀ କୂଳରେ ଦେଖିବାକୁ ମିଳିଥିଲା। ଏହି ଉତ୍ସବକୁ ପାଞ୍ଚସାହିର ମୁରବୀ ତଥା ବେହେରା ପ୍ରତାପ ସାହୁ, ଭଗବାନ ସାହୁ, ରବିନ୍ଦ୍ର ସାହୁ, ବିଦ୍ୟାଧର ସାହୁ, ବିପିନ ସାହୁ, ଉଦୟନାଥ ସାହୁ ପରିଚାଳନା କରିଥିବାବେଳେ କୂଳମଣି ସାହୁ, ନକୁଳ ସାହୁ, କୈଳାସ ସାହୁ, ଜିତେନ୍ଦ୍ର ସାହୁ, ଭାବଗ୍ରାହୀ ସାହୁ, ଦୁଷ୍ମନ୍ତ ସାହୁ, ଅଖିଳ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।
Comments are closed.