ଆଠଗଡ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ଆଠଗଡ : ଆଠଗଡରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବୁଧବାର ସ୍ଥାନୀୟ ରାସରସିକପୁର ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏନଏସି ନଗରପାଳ ସସ୍ମିତା ରାଉତ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଏହି ସୁରଭି କାର୍ଯ୍ୟକ୍ରମ କୋମଳମତି ଛାତ୍ରଛାତ୍ରୀଙ୍କର ବହୁମୁଖୀ ପ୍ରତିଭାକୁ ଉଦ୍ଭାସିତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାସରସିକପୁର ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶିବଶଙ୍କର ଜେନା ଓ ପ୍ରଧାନ ଶିକ୍ଷକ ଦେବରାଜ ନାୟକ, ବିଆରସିସି ନବକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଆଠଗଡ ବ୍ଲକର ସମସ୍ତ ବିଦ୍ୟାଳୟର ସାଧନ କେନ୍ଦ୍ର ମାଧ୍ୟମରେ ମନୋନୀତ ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ବକ୍ତୃତା, ସୃଜନଶୀଳ ଲିଖନ, ରଚନା, ଚିତ୍ରାଙ୍କନ, ହସ୍ତାକ୍ଷର, ଜଣାଅଜଣା, ସଂଗୀତ, ଦଳଗତ ନୃତ୍ୟ ଆଦି ୧୭ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ । ଏହିସବୁ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଛାତ୍ରଛାତ୍ରୀଙ୍କର ଶିକ୍ଷା ସହିତ ବୌଦ୍ଧିକ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିବା ସହିତ ପିଲାମାନେ ପିତାମାତା ଓ ଗୁରୁଜନଙ୍କୁ ଭକ୍ତି କରିବା ଲାଗି ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଶଧର ମହାରଣା ସଂଯୋଜନା କରିଥିବାବେଳେ କନ୍ଦରପୁର ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷକ ନିଳମଣୀ ନାୟକ, କିଶୋର ଚନ୍ଦ୍ର ବେହେରା, ରାସରସିକପୁର ସ୍କୁଲ ପରିଚାଳନା କମିଟି ସଦସ୍ୟ କଳ୍ପମୟୀ ପଟ୍ଟନାୟକ, ସସ୍ମିତା ତ୍ରିପାଠୀ, ରାଜେଶ ବାରିକ, ପ୍ରଶାନ୍ତ କୁମାର ସେଠୀ, ବସନ୍ତ ଦଳେଇ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.