ଯୋଜନା ବାଟବଣା ; ଦୃଷ୍ଟି ବାଧିତ ସୁମିତ୍ରାଙ୍କ ୬ମାସର ଭତ୍ତା ଗାଏବ୍

ରେଙ୍ଗାଲି :  ସରକାର ଭିନ୍ନକ୍ଷମ ଏବଂ ଅସହାୟ ବୃଦ୍ଧ, ବୃଦ୍ଧା ମାନଙ୍କୁ ପେନସନ୍ ଯୋଜନାରେ ପ୍ରତି ମାସରେ ଆର୍ଥିକ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ତେବେ ତୃଣମୂଳ ସ୍ତରରେ କାରସାଦି ଯୋଗୁଁ କେତେକ ସ୍ଥାନରେ ହିତାଧିକାରୀ ପ୍ରତିମାସରେ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି। ଏଭଳି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଥପାପାଲି ଗ୍ରାମରୁ । ଥପାପାଲି ଜୁହ୍ନାପଡାରେ ରହୁଥିବା ୫୨ ବର୍ଷ ବୟସ୍କା ସୁମିତ୍ରା ମିର୍ଦ୍ଧା ଜନ୍ମରୁ ଦୃଷ୍ଟି ବାଧିତ । ସୁମିତ୍ରାଙ୍କୁ ପ୍ରତି ମାସରେ ୫ଶହ ଟଙ୍କା ଲେଖାଏଁ ଭତ୍ତା ମଞ୍ଜୁର ହୋଇଛି । ସୁମିତ୍ରା ପ୍ରତିମାସରେ ଭତ୍ତା ପାଉଥିଲେ। କିନ୍ତୁ ଗତ ମାର୍ଚ୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ୬ମାସର ଭତ୍ତା ତାଙ୍କୁ ମିଳି ନାହିଁ । ସୁମିତ୍ରାଙ୍କୁ ୬ମାସ ଭତ୍ତାରୁ ବଞ୍ଚିତ କରାଗଲା ପରେ ପୁଣି ସେପ୍ଟେମ୍ବର ମାସରୁ ଭତ୍ତା ଦିଆ ଯାଉଛି । ମୋର ବାକି ଥିବା ୬ମାସ ର ଭତ୍ତା କିଏ ନେଲା ,କୁଆଡେ ଗଲା । ମୋତେ କାହିଁକି ୬ମାସର ଭତ୍ତାରୁ ବଞ୍ଚିତ କରଗଲା ମୁଁ ଜାଣିପାରୁ ନାହିଁ ବୋଲି ସୁମିତ୍ରା କ୍ଷୋଭର ସହିତ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ସୁମିତ୍ରା ଦୃଷ୍ଟିହୀନ ଏବଂ ବିପଏଲ୍ ତାଳିକାଭୁକ୍ତ ହୋଇଥିଲେ ମଧ୍ୟ ନିୟମ ଅନୁସାରେ ସେ ମାଗଣାରେ ମାସକୁ ୧୦ କେଜି ଚାଉଳ ପାଇବା କଥା। କିନ୍ତୁ ସେ ୫ଟଙ୍କା ବିନିମୟରେ ମାତ୍ର ୫କେଜି ଚାଉଳ ପାଉଛନ୍ତି । ଦୃଷ୍ଟିହୀନ ହୋଇ ଥିବାରୁ ଆଖି ସ୍କାନ୍ ହୋଇପାରୁ ନଥିବାରୁ ସୁମିତ୍ରାଙ୍କ ଅଧାର କାର୍ଡ ତିଆରି ହୋଇ ପାରିନାହିଁ । ଅସହାୟ ଅବସ୍ଥା ଭାଇର ଭରସାରେ ସୁମିତ୍ରା ଜୀବନ ଅତିବାହିତ କରୁଛନ୍ତି । ସୁମିତ୍ରା ଭଳି ଜଣେ ଦୃଷ୍ଟି ବାଧିତ ଅସହାୟ ମହିଳାଙ୍କ ୬ମାସର ଭତ୍ତା ଗାଏବ୍ ହୋଇଯିବା ପ୍ରଶାସନର ସମ୍ବେଦନଶୀଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିପାଇଁ ଦାୟୀ କିଏ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସୁମିତାଙ୍କୁ ମାର୍ଚ୍ଚ ରୁ ଅଗଷ୍ଟ ପର୍ଯ୍ୟନ୍ତ ୬ମାସର ବାକି ଥିବା ଭତ୍ତା ଶୀଘ୍ର ଯୋଗାଇ ଦେବାକୁ ରେଙ୍ଗାଳି ମହିଳା ସଂଗ୍ରାମ ସମିତି ପକ୍ଷରୁ ଦାବୀ କରାଯାଇଛି ।

kalyan agarbati

Comments are closed.