ମହାନଦୀ ଆଳ, ନାବାଳିକା ବଳାତ୍କାର ଫଳ ଭୋଗିବ ବିଜେଡି ସରକାର

0

ଭୁବନେଶ୍ୱର : ଓଡ଼ିଶାରେ ମହିଳାମାନଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢିଚାଲିଛି। ପ୍ରତିଦିନ ହାରାହାରି ୬ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି। ସର୍ବଭାରତୀୟ ସ୍ତରରେ ମହିଳା ବିରୋଧୀ ଅପରାଧ ଶ୍ରେଣୀରେ ଓଡ଼ିଶା ୨୭ ନମ୍ବରରେ ରହିଛି। ବହୁ ଅପରାଧ ଘଟଣାରେ ଶାସକଦଳର ସଂପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ମହାନଦୀକୁ ସରକାରଙ୍କ ଢ଼ାଲ କରିବା ସହିତ ନାବାଳିକାଙ୍କ ପ୍ରତି ହେଉଥିବା ଚରମ ଅବହେଳାର ଫଳ ବିଜେଡି ସରକାର ଭୋଗିବ ବୋଲି ଦୁଇଦିନିଆ ରାଜ୍ୟ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ବୈଠକରେ ମତପ୍ରକାଶ ପାଇଛି।
ରବିବାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ରାଜ୍ୟ ସରକାରଙ୍କ ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ପୋଷଣକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ପାଇଁ ରାଜ୍ୟ ସରକାର କ’ଣ ପଦଦେକ୍ଷ ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ମାଗିଛି ବିଜେପି। ମହାନଦୀ ପ୍ରସଙ୍ଗରେ ୨୦୦୬ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର କ’ଣ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜଳ ସଂପଦ ବିଭାଗ ଥାଇ ମଧ୍ୟ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ପରେ ୨୦୧୬ ମସିହାରେ କେନ୍ଦ୍ର ସରକାର, କେନ୍ଦ୍ରୀୟ ଜଳ କମିଶନ ରାଜ୍ୟ ସରକାରଙ୍କୁ ମତ ଦେବାକୁ ଜଣାଇଲେ। ଏହା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା। ଓଡିଶାର ସ୍ୱାର୍ଥ ଦୃଷ୍ଟିକୋଣରୁ ପ୍ରଥମେ ବିଜେପି ଏନେଇ କେନ୍ଦ୍ର ଜଳସଂପଦମନ୍ତ୍ରୀଙ୍କୁ ଭେଟି ଏ ବାବଦରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା। ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ଏହାକୁ ପ୍ରତ୍ୟାଖାନ କରିଥିଲେ। ଗୃହ କମିଟି, ସୁପ୍ରିମକୋର୍ଟରେ ଏବଂ ଟ୍ରାଇବୁନାଲ ଗଠନ ପାଇଁ ବିଜେଡିର ପ୍ରସ୍ତାବରେ ବିଜେପି ସହଭାଗିତା ଦେଇଥିଲା। ଆଜି ଟ୍ରାଇବୁନାଲ ଗଠନ ପରେ ମହାନଦୀ ନାଁରେ ନାଟକବାଜୀ କରିବା କେବଳ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରାଇବା ଛଡ଼ା ଆଉ କିଛି ନୁହେଁ ବୋଲି ବିଜେପି ଅଭିଯୋଗ କରି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଟି ପ୍ରଶ୍ନ ପଚାରିଛି ଦଳ।
ରାଜ୍ୟରେ ଥିବା ସମସ୍ତ ନଦୀର ଜଳ ୫୩ ପ୍ରତିଶତରୁ ଆରମ୍ଭ କରି ୬୩ ପ୍ରତିଶତ ପର୍ଯ୍ୟନ୍ତ ସମୁଦ୍ରକୁ ଚାଲିଯାଉଛି। ଏହି ଜଳକୁ ସଂରକ୍ଷଣ କରି କୃଷି ଉପଯୋଗୀ କରିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ପଚରା ଯାଇଛି। ସେହିପରି କେନ୍ଦ୍ର ସରକାର ମହାନଦୀ ପାଇଁ ଟ୍ରାଇବୁନାଲ ଗଠନ କଲେ। ମହାନଦୀ ପାଇଁ ଗଠିତ ଟ୍ରାଇବୁନାଲ ନିଜ କାର୍ଯ୍ୟ ଆରମ୍ଭ କରିବା ପରେ ରାଜ୍ୟ ସରକାର ତଥ୍ୟ ନଦେଇ ପଦଯାତ୍ରା କରି ରାଜନୈତିକ ଡ୍ରାମା କାହିଁକି କରୁଛନ୍ତି? ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳରେ ମହାନଦୀ ପଦଯାତ୍ରା କରୁଛନ୍ତି ସେ ଅଞ୍ଚଳରେ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତା’ର ଉତ୍ତର ଦିଅନ୍ତୁ ବୋଲି ବୈଠକରେ ଦାବି କରାଯାଇଛି।
ଏହାବାଦ୍‌ ପଞ୍ଚାୟତ ଏବଂ ପୌରାଞ୍ଚଳଗୁଡିକରେ ବ୍ୟାପକ ଦୁର୍ନୀତି ବୃଦ୍ଧି ପାଇଛି। ନରେଗା ଯୋଜନାରେ ରାଜ୍ୟସରକାରଙ୍କ ନେତାମାନଙ୍କ ସଂପୃକ୍ତି ରହିଛି। ରାଜ୍ୟରେ ଶାସକ ବିଜେଡିର ସଂପର୍କୀୟମାନେ ବିନା ଟେଣ୍ଡରରେ ଠିକାକାମ କରି କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି। ବିଜୁ ଯୁବ ବାହିନୀ ନାଁରେ ରାଜକୋଷରୁ କୋଟି କୋଟି ଅର୍ଥ ଲୁଟ୍‌ ହେଉଛି। ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ହରିଚନ୍ଦନ କହିଛନ୍ତି।
ବୈଠକରେ ରାଜ୍ୟର ବହୁ ବରିଷ୍ଠ ବିଜେପି ନେତା, କର୍ମୀ ଓ ଜିଲାସଭାପତିମାନେ ଉପସ୍ଥିତ ଥିଲେ। ବୈଠକର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୌଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କେ.ଭି.ସିଂହଦେଓ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତାକୁ ନେଇ ସରକାରଙ୍କୁ ଆଗାମୀ ଦିନରେ ଘେରିବାକୁ ସ୍ଥିର କରାଯାଇଥିବା ସୂଚନା ଦେଇଛନ୍ତି।

Leave A Reply