ଭୁବନେଶ୍ୱର:ଶିଳ୍ପାଂଚଳ ଭାବେ ପରିଚିତ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି। ବିନା କୈାଣସି ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି। ଏହା ଦ୍ୱାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି। ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି। ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ଅଛନ୍ତି। ଏହି ସଂକ୍ରାନ୍ତରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ବିଜେପି ପକ୍ଷରୁ କୁହାଯାଇଛି ଯେ ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଓ ଷ୍ଟିଲ୍, ସମଲେଶ୍ୱରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍ ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି। ଏହା ଦ୍ୱାରା ପରିବେଶ ପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି। ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି। ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହୀରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ପ୍ରତିନିଧି ଦଳ ଜଣାଇଛି।
ସେହିପରି କଂପାନୀରୁ ଡମ୍ପିଙ୍ଗ୍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରା ପାଉଁଶ ନିଆଯିବାର ଆଇନ ଥିବା ସତ୍ୱେ ପରିବହନକାରୀ ଠିକା ସଂସ୍ଥାଗୁଡିକ ସମସ୍ତ ଆଇନକାନୁନକୁ ଖୋଲାଖୋଲି ଉଲ୍ଲଂଘନ କରି ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରା ଅଧିକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେଉଛି। ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାର୍ଶ୍ବସ୍ଥିତ ପଂଚପଡା ଡଂପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୂଷିତ ହୋଇଥିଲା। ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଂଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି ବୋଲି ମୁଖ୍ୟ ଶାସନସଚିବଙ୍କୁ ଅବଗତ କରାଯାଇଛି। ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି।
ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରୀଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରୀତି ପରିଚୟ ।ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବୀ କରାଯାଇଛି। ଏହି ଅବସରରେ ବିଧାୟକ ମୋହନ ମାଝୀ, ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ସୁବାଷ ପାଣିଗ୍ରାହୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ,ପ୍ରକାଶ ସୋରେନ, ସୁକାନ୍ତ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ।



