ବିଜେପି ବିରୋଧରେ ଜାରି ଲାଞ୍ଚ ଅଡିଓ ଟେପ୍‍ ମିଥ୍ୟା : କଂଗ୍ରେସ ବିଧାୟକ

0

ନୂଆଦିଲ୍ଲୀ : କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଜାରି ରହିଥିବା ଟଣାଓଟରା ମଧ୍ୟରେ ୟେଲ୍ଲାପୁର କଂଗ୍ରେସ ବିଧାୟକ ଶିବରାମ ହେବାର ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ତାଙ୍କୁ କିଣିବାକୁ ୧୫ କୋଟି ଟଙ୍କା ଯାଚୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଦୁଇ ଦିନ ତଳେ ଶିବରାମଙ୍କ ପତ୍ନୀଙ୍କୁ ବିଜେପି ନେତା ଫୋନ୍‍ କଲ କରି ୧୫ କୋଟି ଟଙ୍କାରେ ମୁଣ୍ଡ ବିକିବାକୁ ମୂଲଚାଲ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ପକ୍ଷରୁ ଏକ ଅଡ଼ିଓ ଟେପ୍‍ ଜାରି କରାଯାଇଛି। ଶିବରାମ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅଡିଓ ଟେପ୍‍ ମନଗଢା ଓ ଏହି ଅଡିଓ ଟେପ୍‍ରେ ଶୁଣିବାକୁ ମିଳୁଥିବା ସ୍ୱର ତାଙ୍କ ପତ୍ନୀଙ୍କର ନୁହେଁ ବୋଲି କହିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ବି.ଏସ୍‍. ଅଗରପ୍ପା ଅଡିଓଟିକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି କହିବା ସହ ଫରେନ୍ସିକ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଉଲ୍ଲେଖ ଯେ କର୍ଣ୍ଣାଟକ ବିଧାନସଭାରେ ବିଜେପି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିଲା ଯେ ବି.ଏସ୍‍. ୟେଦୁରପ୍ପାଙ୍କ ପୁଅ ଫୋନ୍‍ କରି ଶିବରାମ ହେବାରଙ୍କ ପତ୍ନୀଙ୍କୁ ସମର୍ଥନ ଦେବାକୁ ମୂଲଚାଲ କରିଥିଲେ ଓ ୧୫ କୋଟି ଟଙ୍କା ଯାଚିଥିଲେ। ସୋମବାର ଶିବରାମ ହେବାର ନିଜ ଫେସବୁକ୍‍ ଆକାଉଣ୍ଟରେ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ଏବଂ ବିଜେପି ଲୋକଙ୍କ ମଧ୍ୟରେ ସନ୍ଦେହଜନକ କଥାବାର୍ତ୍ତା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ସେ ବିଳମ୍ବରେ ଜାଣିବାକୁ ପାଇଲେ। ତେବେ ଏହା ତାଙ୍କ ପତ୍ନୀଙ୍କ ସ୍ୱର ନୁହେଁ। ତାଙ୍କ ପତ୍ନୀ ବିଜେପି ନେତାଙ୍କଠାରୁ କୌଣସି ଫୋନ୍‍ କଲ ପାଇନାହାନ୍ତି। ଅଡିଓ ଟେପ୍‍ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମନଗଢା, ମୁଁ ଏହାର ନିନ୍ଦା କରୁଛି।

Leave A Reply