ଟଙ୍କା ଅଭାବ ନାଁରେ ବିଜେଡ଼ି ଆତଙ୍କ ସୃଷ୍ଟି କରୁଛି : ବିଜେପି
ଭୁବନେଶ୍ୱର : ଓଡିଶାରେ ଅର୍ଥନୈତିକ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିବା ସହ ରାଜ୍ୟରେ ବିଜେଡ଼ି ଆତଙ୍କର ବାତାବରଣ ସୃଷ୍ଟି କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି।
ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ ଯେ ଏଟିଏମ୍ରେ ଅର୍ଥାଭାବ ନେଇ ମୁଖ୍ୟମନ୍ତ୍ରୀ ଚାହିଁଥିଲେ ବ୍ୟାଙ୍କର୍ସମାନଙ୍କୁ ଡାକି ସମୀକ୍ଷା କରିପାରିଥାନ୍ତେ। ତାହା ନକରି ଯୋଗାଡିଆମାନଙ୍କୁ ଲଗାଇ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରିଛନ୍ତି। ଚିଟ୍ଫଣ୍ଡ କମ୍ପାନୀଙ୍କୁ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ ଭଳି ଯୋଗାଡିଆମାନେ ସହାୟତା କରିବାରୁ ରାଜ୍ୟରେ ୨୦ ଲକ୍ଷ ଜମାକାରୀ ଚିଟ୍ଫଣ୍ଡ କମ୍ପାନୀମାନଙ୍କ ଦ୍ୱାରା ଶୋଷିତ ହୋଇଛନ୍ତି। ଏଯାଏଁ ଜମାକାରୀ ତାଙ୍କ ଅର୍ଜିତ ଅର୍ଥ ଫେରି ପାଇନଥିବା ବେଳେ ବିଜେଡିର ସାଂସଦ ଓ ବିଧାୟକମାନେ ଏବେ ଜେଲ ଓ ଜାମିନ୍ରେ ଅଛନ୍ତି। ଏଥିପାଇଁ ୨୦୧୪ ମସିହାରୁ ସରକାର ଘୋଷଣା କରିଥିବା କର୍ପସ ଫଣ୍ଡ କୁଆଡେ ଗଲା ? ବିଜେଡି କେବଳ ଆତଙ୍କ ସୃଷ୍ଟି ଲକ୍ଷ୍ୟରେ ଏପରି ରାଜନୈତିକ ଡ୍ରାମା କରିବାରେ ଲାଗିଛି। ନିଜର ଅପାରଗତାକୁ ଘୋଡାଇବା ସହ ଆତ୍ମରକ୍ଷା ପାଇଁ ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯାଉଛି। ଏହି ସମସ୍ତ ଘଟଣା ପଛରେ ଏକ ବଡ ଷଡଯନ୍ତ୍ର ରହିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ସେହିପରି ଯେଉଁ ନିରବ ମୋଦିଙ୍କ କଥା ଉଠାଯାଉଛି, ତାଙ୍କର ଗୀତାଞ୍ଜଳି ଅଳଙ୍କାର କମ୍ପାନୀକୁ ୧୦୦ ଏକର ଜମି କିଏ ଦେଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସର ସମର୍ଥନରେ ନିରବଙ୍କୁ ଜମି ଦେବା ମିଥ୍ୟା କି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ନିଜର ରାଜନୈତିକ ସ୍ଥିତି ଜାହିର ପାଇଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଯାଉଛି। ଶିଳ୍ପାୟନ ନାଁରେ ଭୂଷଣ ସମେତ ଅନ୍ୟ କମ୍ପାନୀ ମାନଙ୍କୁ ଜମି ଯୋଗାଯାଇଛି। ବିଜେଡି ଦଳ ନିଜର ରାଜନୈତିକ ଫାଇଦା ପାଇଁ ଯେଉଁ ଡ୍ରାମା କରୁଛି ତାହା ଓଡିଶାବାସୀ ଦେଖୁଛନ୍ତି। ଆଗାମୀ ଦିନରେ ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ଅର୍ବାନ ଭଏସ କାର୍ଯ୍ୟକ୍ରମ ଅନୁସାରେ ଆସନ୍ତାକାଲି ରାଜ୍ୟର ସମସ୍ତ ୧୧୩ଟି ବିଜ୍ଞପିତ ଅଞ୍ଚଳ ପରିଷଦ, ନିଗମ ଏବଂ ମହାନଗର ନିଗମରେ ବିଜେପି ଲଟକା ଜାରି କରିବ । ସହରବାସୀଙ୍କୁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି। ଜଳ ଯୋଗାଣ ଅବ୍ୟବସ୍ଥାଠାରୁ ଆରମ୍ଭ କରି ଅମୃତ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଖର୍ଚ୍ଚ ହୋଇ ନପାରିବା, ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ସରକାରଙ୍କ ବିଫଳତା, ସ୍ୱେରେଜ ଓ ଡ୍ରେେନଜ ବ୍ୟବସ୍ଥା ଭୁଶୁଡି ପଡିଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସରକାରଙ୍କ ଏହି ବିଫଳତା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ଲଟକା ଜାରି ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।