ଭୁବନେଶ୍ୱର :ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ଧନଜୀବନ ନଷ୍ଟ ହୋଇଛି। ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ବେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ବହୁ ମୂଲ୍ୟବାନ ଜୀବନ ହରାଇବାକୁ ପଡିଛି। ସେମାନଙ୍କ ଜୀବନ ସହ କୌଣସି କ୍ଷତିପୂରଣ ସମାନ ହେବନାହିଁ ବୋଲ ବିଜେପି ପକ୍ଷରୁ କୁହାଯାଇଛି।
ବନ୍ୟା ଓ ଜଳବନ୍ଦୀ ଭାବେ ରାଜ୍ୟର ଲୋକେ ଜୀବନମରଣ ସହ ଲଢେଇ କରୁଥିବା ବେଳେ ସୋନି ମନୋରଞ୍ଜନ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଉତ୍ସବ ପାଳନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ମୁଖପାତ୍ର ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟତମ ମାନବୀୟ ଭାବ ଥିଲେ ସେ ଏପରି କରିନଥାନ୍ତେ। ଓଡିଆ ଲୋକଙ୍କ ସ୍ୱାର୍ଥ କଥା କହି ମୁଖ୍ୟମନ୍ତ୍ରୀ ଯେଉଁ ନାଟକ କରୁଥିଲେ ଏହି ନାଟକର ତିତ୍ଲି ପର୍ଦାଫାସ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଗଜପତି ଜିଲାରେ ୧୭ ଜଣଙ୍କ ସମେତ ବିଭିନ୍ନ ଜିଲାରେ ମୂଲ୍ୟବାନ ଜୀବନ ଯିବା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାର କାରଣ ବୋଲିି ବିଜେପି କହିବା ସହ ଏହା ପ୍ରାକୃତିକ ଦୁର୍ବିପାକ ଜନିତ ମୃତ୍ୟୁ ନୁହେଁ ବରଂ ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ସ୍ୱତନ୍ତ୍ର ରିଲଫ କମିସନର ବିଷ୍ଣୁପଦ ସେଠୀଙ୍କ ଦାୟିତ୍ୱହୀନ ବକ୍ତବ୍ୟ ପାଇଁ ଶ୍ରୀ ମହାପାତ୍ର ତୁରନ୍ତ ତାଙ୍କର ବହିଷ୍କାର ଦାବି କରିଛନ୍ତି। ଏସଆରସି ଶ୍ରୀ ସେଠୀଙ୍କ ବୟାନ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ଧିଷ୍ଟ , ଯାହା ଓଡିଆ ଲୋକଙ୍କ ପ୍ରତି ଉପହାସ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ଗଣମାଧ୍ୟମରେ ଦେଇଥିବା ବୟାନକୁ ସେ ସମାଲୋଚନା କରିଛନ୍ତି। ଏମିତି ହେବ ବୋଲି ଜାଣିନଥିଲୁ ବୋଲି କହିବା ସରକାରଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟସଚିବଙ୍କ ମନ୍ତବ୍ୟ ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ମହାପାତ୍ର ଦୋଷାରୋପ କରିଛନ୍ତି।
ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ଧନଜୀବନ ନଷ୍ଟ ହୋଇଛି : ବିଜେପି
Popular Categories



