ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ

ବର୍ମିଂହାମ୍‌: ଗୁରୁବାରଠାରୁ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏହି କ୍ରୀଡ଼ାରେ ୨୧୧ କ୍ରୀଡ଼ାବିତ୍‌ଙ୍କ ସହ ୩୦୦ରୁ ଅଧିକ ଭାରତୀୟ ଭାଗ ନେଉଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍‌ସରେ ଭାରତର ଅପ୍ରତ୍ୟାଶିତ ପ୍ରଦର୍ଶନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କଠାରୁ ଦେଶବାସୀଙ୍କ ପଦକ ଆଶା ଆହୁରି ବଢ଼ିଯାଇଛି। ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ ସହ ୭ଟି ପଦକ ଜିତିଥିଲା; ଯାହା ଭାରତୀୟ କ୍ରୀଡ଼ା ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ଏଥର ଭାରତ ଅଧିକ ପଦକ ଜିତିବାର ପ୍ରୟାସ କରିବ ନିଶ୍ଚୟ।

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ସହ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ୩ୟ ସ୍ଥାନରେ ରହିଥିଲା। ଏଯାବତ୍‌ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ। ଏହି କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ଶତକ (୧୦୧) ପାର କରିଥିଲା। ଇଂଲଣ୍ଡକୁ ପଛରେ ପକାଇ ଭାରତ ୨ୟ ସ୍ଥାନରେ ରହି ପାରିଥିଲା। ଭାରତ ଅପ୍ରତ୍ୟାଶିତ ୩୮ଟି ସ୍ବର୍ଣ୍ଣପଦକ ଜିତିଥିଲା। ଆସନ୍ତୁ ନଜର ପକାଇବା ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରଦର୍ଶନ ଉପରେ। ସ୍ବାଧୀନତା ପରେ ଭାରତ ମାତ୍ର ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା- ୧୯୫୦, ୧୯୬୨ ଓ ୧୯୮୬ରେ ଭାଗ ନେଇନଥିଲା। ୧୯୫୪ କ୍ରୀଡ଼ାରେ ଭାରତ ଖାଲି ହାତରେ ଫେରିବାରୁ ୨୦୧୦ କ୍ରୀଡ଼ାରେ ୧୦୧ଟି ପଦକ ଜିତିବା ସହ ଭାରତ ତା’ର ପ୍ରଦର୍ଶନରେ ବହୁତ ଉନ୍ନତି କରିପାରିଛି। ତେବେ ଭାରତର ପ୍ରକୃତ ଉତ୍‌ଥାନ ଆରମ୍ଭ ହୋଇଥିବା ୨୧ଶ ଶତାବ୍ଦୀରୁ।

୨୦୦୨ ସଂସ୍କରଣରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ପ୍ରଥମଥର ପଦକ ତାଲିକାର ପ୍ରଥମ ୪ଟି ସ୍ଥାନରେ ରହି ପାରିଥିଲା। ମାଞ୍ଚେଷ୍ଟରରେ ଭାରତ ୩୦ଟି ସ୍ବର୍ଣ୍ଣ ସହ ୬୯ଟି ପଦକ ଜିତି ୪ର୍ଥ ସ୍ଥାନରେ ରହିଥିଲା। ୨୦୦୬ ମେଲ୍‌ବୋର୍ଣ୍ଣ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୨୨ଟି ସ୍ବର୍ଣ୍ଣ ସହ ୫୦କୁ ଖସି ଆସିଥିଲେ ହେଁ ଭାରତ ୪ର୍ଥ ସ୍ଥାନ ବଜାୟ ରଖିଥିଲା। ୨୦୧୦ରେ ଆୟୋଜକ ରାଷ୍ଟ୍ର ଭାବେ ୧୦୧ ପଦକ ଜିତି ଭାରତ ୨ୟ ସ୍ଥାନରେ ରହିଥିଲା। ୨୦୧୪ରେ ଭାରତ ଶୀର୍ଷ-୪ରୁ ଖସି ଆସିଥିଲା। ଭାରତ ୧୫ଟି ସ୍ବର୍ଣ୍ଣ ସହ ୬୪ଟି ପଦକ ଜିତିଥିଲେ ହେଁ ଭାରତକୁ ଆୟୋଜକ ସ୍କଟ୍‌ଲାଣ୍ଡ ୫ମ ସ୍ଥାନକୁ ଖସାଇ ଦେଇଥିଲା। ୨୦୧୮ରେ ଭାରତ ୨୬ଟି ସ୍ବର୍ଣ୍ଣ ସହ ୬୬ଟି ପଦକ ପାଇ ୩ୟ ସ୍ଥାନରେ ରହିଥିଲା; ଯାହା ଭାରତର ୨ୟ ଶ୍ରେଷ୍ଠ ପ୍ରଦର୍ଶନ। ବର୍ମିଂହାମ୍ କ୍ରୀଡ଼ାରୁ ସୁଟିଂ ବାଦ୍‌ ପଡ଼ିଥିବା ବେଳେ ଭାରତ ୩ୟ ସ୍ଥାନ ବଜାୟ ରଖି ପାରୁଛି କି ନାହିଁ; ତାହା ଦେଖିବାକୁ ବାକିରହିଲା।

Comments are closed.