ପୂର୍ଣ୍ଣିମାରେ ଗ୍ରହଣ ଯୋଗୁଁ ଚାଲିଛି ଆଗୁଆ ମୁଣ୍ଡନ

ବିନ୍ଧାଣିମା ଲୋଭୀ ଠାକୁରାଣୀଙ୍କ ପୀଠରେ ବଢ଼ୁଛି ଭିଡ଼

ତିଗିରିଆ : ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ଲୋଭୀ ଠାକୁରାଣୀଙ୍କ ପ୍ରସିଦ୍ଧ ମୁଣ୍ଡନ ଯାତ୍ରା ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ତଥା କାର୍ତ୍ତିକମାସ ଆରମ୍ଭରୁ ପ୍ରତି ସୋମବାର ଏବଂ ଅନ୍ୟାନ୍ୟ ଦିନରେ ମଧ୍ୟ ଶହ ଶହ ଶିଶୁଙ୍କ ମୁଣ୍ଡନ ଚାଲୁ ରହିଛି। କାର୍ତ୍ତିକ ମାସର ୪ର୍ଥ ସୋମବାର ଦିନ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଅଧିକ ଶିଶୁଙ୍କ ମୁଣ୍ଡନ ହୋଇଥିବା ଜଣାପଡ଼ିଛି । ଲୋଭୀ ଠାକୁରାଣୀଙ୍କ ପୀଠରେ ଆଜି ପ୍ରାୟ ୫ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତ୍ୟେହ ବିଭିନ୍ନ ସ୍ଥାନରୁ ପିତାମାତାମାନେ ନିଜର ଛୋଟ ଶିଶୁକୁ ଲୋଭୀଙ୍କ ପୀଠକୁ ଆଣି ମୁଣ୍ଡନ କରାଉଥିବା ବେଳେ ପ୍ରତି ସୋମବାର ଦିନ ଗହଳି ଅଧିକ ବଢ଼ୁଥିବା ଦେଖାଯାଇଛି । ଏହି ଭିଡ଼କୁ ଦେଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଏବଂ ବିନ୍ଧାଣିମା କାର୍ତ୍ତିକେଶ୍ୱର ମହାସଂଘ ପକ୍ଷରୁ ଆଗନ୍ତୁକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇ ସୁରୁଖୁରୁରେ ପୂଜାର୍ଚ୍ଚନା କରାଉଥିବା ଜଣାପଡ଼ିଛି । ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାରେ ସହଯୋଗ କରାଯାଉଛି । ଏବେ ମନ୍ଦିରରେ ବିଜେ ବିଗ୍ରହଙ୍କୁ ଦର୍ଶନ କରି ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି । ସୂଚନାଯୋଗ୍ୟ ଏଠାକାର ପରମ୍ପରା ଅନୁଯାୟୀ ମା ଲୋଭୀ ଠାକୁରାଣୀଙ୍କ ମୂଳବିଗ୍ରହ ବର୍ଷକୁ ଥରେ ମାତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମନ୍ଦିରରେ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ସେହିଦିନ ହଜାର ହଜାର ପିତାମାତା ନିଜର ଶିଶୁଙ୍କୁ ଆଣି ଏହିଠାରେ ସେହି ପୂର୍ଣ୍ଣିମାରେ ପ୍ରଥମ ମୁଣ୍ଡନ କରିବା ସହିତ ଦେବୀଙ୍କ ଦୁଲର୍ଭ ବିଗ୍ରହ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି । ଚଳିତ ବର୍ଷ ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ତାରିଖ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମହାସଂଘ ସଭାପତି ବିଭୂତି ଭୂଷଣ ବେହେରାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Comments are closed.