ଭୁବନେଶ୍ୱର ବିମାନ ବନ୍ଦରରେ ଅତ୍ୟାଧୁନିକ ବ୍ୟବସ୍ଥା

0

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଟର୍ମିନାଲ୍‍ ୧ ଓ ଟର୍ମିନାଲ୍‍ ୨ ମଧ୍ୟରେ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସୌଧ ନିର୍ମାଣ ହେବ। ଦୁଇ ଟର୍ମିନାଲ୍‍କୁ ଏହି ସୌଧ ସଂଯୋଗ କରିବା ସହିତ ଯାତ୍ରୀମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିବ।
ବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ୬୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ହେବାକୁ ଥିବା ଏହି ସୌଧ ପାଇଁ ଖୁବ୍‍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। କାମ ଆରମ୍ଭ ହେବାର ଦେଢ଼ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଯୋଜନାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ବିମାନ ବନ୍ଦରରେ ବିମାନ ଚଳାଚଳ ଓ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏହି ନୂଆ ସୌଧ ଟ୍ରାଫିକ୍‍ ନିୟନ୍ତ୍ରଣରେ ସହାୟକ ହୋଇପାରିବ। ଏଥିରେ ସପିଂ କମ୍ପେକ୍ଲ ସହିତ ଶୁଳ୍କ ମୁକ୍ତ ବାର ରହିବ। ଯାତ୍ରୀମାନେ ଏହି ସୌଧ ଦେଇ ଦୁଇ ଟର୍ମିନାଲ୍‍କୁ ଯାତାୟାତ କରିପାରିବେ। ଦ୍ୱିତୀୟ ମହଲାରେ ଏରୋ ବ୍ରିଜ୍‍ ଓ ଇମିଗ୍ରେସନ୍‍ ବ୍ୟବସ୍ଥା ରହିବ। ଏତଦ୍‍ବ୍ୟତୀତ ସେଠାରେ ଆଉ ଏକ ତିନିମହଲା କୋଠା ନିର୍ମାଣ ହେଉଛି। ବର୍ତ୍ତମାନର ପୁରୁଣା କୋଠାରୁ ନୂଆକୋଠାକୁ ଏୟାର ଟ୍ରାଫିକ୍‍ କଣ୍ଟ୍ରୋଲ୍‍, କମ୍ୟୁନିକେସନ୍‍ ଓ ନେଭିଗେସନ୍‍ ସିଷ୍ଟମ୍‍, ପ୍ରଶାସନିକ କାର୍ଯ୍ୟ ନୂଆ କୋଠାକୁ ସ୍ଥାନାନ୍ତର ହେବ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୨୦୧୬-୧୭ ବର୍ଷରେ ଯାତ୍ରୀ ସଂଖ୍ୟା ୨.୩ ନିୟୁତ ଥିବା ବେଳେ ୨୦୧୭-୧୮ରେ ତାହା ୩.୨ ନିୟୁତକୁ ବୃଦ୍ଧି ପାଇଛି। ଏବେ ବିମାନ ବନ୍ଦରକୁ ଦୈନିକ ୮୦୦୦ ଯାତ୍ରୀ ଆସୁଛନ୍ତି।

Leave A Reply