ମୁମ୍ବାଇ ନିବେଶକ ସମ୍ମିଳନୀରେ ୩୦୦ ଶିଳ୍ପ ପ୍ରତିନିଧି

କର୍ପୋରେଟ୍‌ କ୍ୟାପ୍‌ଟେନଙ୍କୁ ନବୀନଙ୍କ ନିମନ୍ତ୍ରଣ

ଭୁବନେଶ୍ବର: ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଭାରତର ଅନ୍ୟତମ ଅଗ୍ରଣୀ ରାଜ୍ୟ। ଗତ ଦେଢ଼ ଦଶନ୍ଧି ଧରି କ୍ରମାଗତ ଜାତୀୟ ହାର ଅପେକ୍ଷା ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିଛି। ପୂର୍ବ ଭାରତରେ ଏକ ପ୍ରମୁଖ ଶିଳ୍ପାୟନ ଲକ୍ଷ୍ୟସ୍ଥଳ ଭାବେ ଓଡ଼ିଶା ଆଗକୁ ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି। ଏଥିସହ ଭୁବନେଶ୍ବରରେ ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୨ରେ ଭାଗ ନେବାକୁ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆମନ୍ତ୍ରଣ କରିଛନ୍ତି।

ସେ କହିଛନ୍ତି, ଗତ ୨୦ ବର୍ଷ ହେଲା ତାଙ୍କ ସରକାର ପ୍ରଗତିଶୀଳ ନୀତି, ଦକ୍ଷ ପ୍ରଶାସନ ଏବଂ ବୈଷୟିକ ପଦକ୍ଷେପ ଜରିଆ‌େ‌ର ପ୍ରାକୃତିକ ସମ୍ପଦର ଉପଯୋଗକୁ ଗୁରୁତ୍ବ ଦେଇଆସିଛି। ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରି ଓଡ଼ିଶାର ରୂପାନ୍ତରଣ ଯାତ୍ରାରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପପତିଙ୍କୁ ଅନୁରୋଧ କରିଛନ୍ତି। ଆଜି ଦିନତମାମ ମୁଖ୍ୟମନ୍ତ୍ରୀ ଦେଶର ଜଣାଶୁଣା ବିଶିଷ୍ଟ ଶିଳ୍ପପତିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ। ଆୟୋଜିତ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ପ୍ରାୟ ୨୦୦ ଇଞ୍ଜିନିୟରିଂ କଲେଜ ଏବଂ ୧୦୦୦ ଆଇଟିଆଇ ଜରିଆରେ ରାଜ୍ୟରେ ଦକ୍ଷ ମାନବସମ୍ବଳ ସୃଷ୍ଟି କରାଯାଉଛି।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଦେଶ‌ର‌ ଇସ୍ପାତ, କଳଙ୍କିହୀନ ଇସ୍ପାତ ଏବଂ ଆଲୁମିନିୟମର ବୃହତ ଉତ୍ପାଦକ ହେଉଛି ଓଡ଼ିଶା। କେମିକାଲ, ପେଟ୍ରୋ କେମିକାଲ, ବୟନ ଏବଂ ପୋଷାକ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି। ଏହାସହ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଡାଟା ସେଣ୍ଟର ଏବଂ ବୈଦ୍ୟୁତିକ ଯାନ ବିନିର୍ମାଣ ଆଦି ନୂତନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଗୁରୁତ୍ବ ଦିଆଯାଉଛି। ମେକ ଇନ ଓଡ଼ିଶାର ପୂର୍ବ ସଂସ୍କରଣ ସମ୍ପର୍କରେ ସୂଚନା ଦେଇ ସେ କହିଲେ, ୨୦୧୬ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିର ୧୨୦ ନିବେଶ ପ୍ରସ୍ତାବ ଆସିଥିଲା। ସେହିପରି ୨୦୧୮ରେ ଆୟୋଜିତ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଥିଲା। ଚଳିତବର୍ଷ ଆୟୋଜିତ ହେବାକୁ ଥିବା ତୃତୀୟ ସଂସ୍କରଣ ପାଇଁ ଶ୍ରୀ ମହାପାତ୍ର ନିବେଶକଙ୍କ ସହଯୋଗ ଓ ସହାୟତା ଲୋଡ଼ିଥିଲେ।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓଡ଼ିଶାରେ ଶିଳ୍ପାୟନ ଏବଂ ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୨ ଉପରେ ତଥ୍ୟ ଉପସ୍ଥାପନା କରିଥିଲେ। ଓଡ଼ିଶାରେ ଶିଳ୍ପ ପାଇଁ ଜମି, ବିଦ୍ୟୁତ ସହଜରେ ଉପଲବ୍ଧ ଥିବାବେଳେ କୁଶଳୀ ଶ୍ରମିକଙ୍କ ପାରିଶ୍ରମିକ ଭାରତରେ ସବୁଠୁ କମଥିବା ଦର୍ଶାଇଥିଲେ। ଏହାର ଫାଇଦା ଶିଳ୍ପପତି ଓ ନିବେଶକମାନେ ନେଇପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଶିଳ୍ପସଂସ୍ଥାକୁ ପ୍ରତିନିଧିତ୍ବ କରୁଥିବା ୩୦୦ ପ୍ରତିନିଧି ସାମିଲ ହୋଇଥିଲେ। ଇଡକୋ ପରିଚାଳନା ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ, ଫିକି ମହାରାଷ୍ଟ୍ର ରାଜ୍ୟ ପରିଷଦର ସୁଲଜ୍ଜା ଫିରୋଡିଆ ମୋଟୱାନୀଙ୍କ ସମେତ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶର ପ୍ରମୁଖ ଶିଳ୍ପପତି, ବ୍ୟାଙ୍କର ଓ ନିବେଶକଙ୍କୁ ଭେଟିଥିଲେ। ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଆଇସିଆଇସିଆଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦେଶକ ରାକେଶ ଝା, ଏଚଡିଏଫସି ବ୍ୟାଙ୍କ କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଏସଟିଟି ଡିଜିସି ଇଣ୍ଡିଆ ସିଏଫଓ ବିମଳ ଖଣ୍ଡେଲୱାଲା, ଜେଏମ ବାକ୍ସି ପ୍ରାଃ ଲିଃ ଅଧ୍ୟକ୍ଷ ଧ୍ରୁବ କୋଟାକ, ଅପାର ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଅଧ୍ୟକ୍ଷ ଦୀନେଶ କୁମାର ଖାନ୍ନା, ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ୱାରଇ ଇଞ୍ଜିନିୟର୍ସ ଅଧ୍ୟକ୍ଷ ହିତେଶ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ ସହ ୱାନଟୁୱାନ୍ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ଭୁବନେଶ୍ବରରେ ନଭେମ୍ବର ୩୦ରୁ ହେବାକୁ ଥିବା ମେକ ଇନ୍ ଓଡ଼ିଶା-୩ କନକ୍ଲେଭ ନିମନ୍ତେ ଦୁବାଇ ଓ ଦିଲ୍ଲୀ ପରେ ଆଜି ମୁମ୍ବଇଠାରେ ଏହି ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି। ଆସନ୍ତା ୨୮ତାରିଖରେ ବେଙ୍ଗାଲୁରୁରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ବୋଲି ଜଣାପଡ଼ିଛି।
କର୍ପୋରେଟ୍‌ କ୍ୟାପ୍‌ଟେନଙ୍କୁ…

Comments are closed.