www.samajalive.in
Sunday, December 14, 2025
23.1 C
Bhubaneswar

ସରକାରଙ୍କୁ ଘେରିଲେ ବିରୋଧୀ; ଦୁର୍ନୀତି ବଢ଼ାଉଛି ଠିକା ନିଯୁକ୍ତି

ଭୁବନେଶ୍ୱର: ବେକାରୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖାଲିପଦ ପୂରଣ କରାଯାଉ ନ ଥିବା ବେଳେ କେବଳ ଠିକା ନିଯୁକ୍ତି ଦେଇ ସେମାନଙ୍କୁ ପ୍ରତାରଣା ଦିଆଯାଉଛି। ଅନ୍ୟପକ୍ଷରେ ଠିକା ନିଯୁକ୍ତି ଯୋଗୁ ରାଜ୍ୟରେ ଦୁର୍ନୀତି ବଢ଼ୁଥିବା ଅଭିଯୋଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଅନ୍ୟପକ୍ଷରେ ଖାଲିଥିବା ପଦ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।

ଶୁକ୍ରବାର ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଶୀର୍ଷକ ‘ଠିକା ନିଯୁକ୍ତିରେ ଚାଲିଛି ଓଡ଼ିଶା ସରକାର’ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝି କହିଥିଲେ ଯେ, ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ କରି ବାହାବା ନେଉଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରାଉଛନ୍ତି; କିନ୍ତୁ ବେକାରୀଙ୍କ ପାଇଁ ଏଥିରେ କିଛିନାହିଁ। ରାଜ୍ୟରେ ୨ ଲକ୍ଷ ୨୬ହଜାର ପଦ ଖାଲି ପଡିଛି। ସେଥିରେ ନିୟମିତ ନିଯୁକ୍ତି ଦିଆଯାଉନି। ସରକାର ଠିକା ନିଯୁକ୍ତିରେ କାମ ଚଳାଉଛନ୍ତି।

- Advertisement -

ଆଉଟସୋର୍ସିଂ ଜରିଆରେ ଦିଆଯାଉଥିବା ଠିକା ନିଯୁକ୍ତିରେ ବେକାର ଯୁବକ ଯୁବତୀଙ୍କୁ ପ୍ରତାରଣା କରାଯାଉଛି। ଠିକା ନିଯୁକ୍ତି ଯୋଗ ଦୁର୍ନୀତି ବଢ଼ୁଥିବା ସେ କହିଥିଲେ। ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, କରୋନା ସମୟରେ ଲକ୍ଷାଧିକ ଲୋକ ଓଡ଼ିଶା ଫେରିଥିଲେ। ରାଜ୍ୟ ସରକାର ସେମାନଙ୍କୁ କାମ ଯୋଗାଇ ପାରିଲେନାହିଁ। ପୁଲିସ କନେଷ୍ଟବଳଠୁ ଡାକ୍ତର, ଶିକ୍ଷକ ଆଦି ସବୁ ପଦରେ ଠିକା ନିଯୁକ୍ତି ଚାଲିଛି। ଗୋଟିଏ କାର୍ଯ୍ୟାଳୟରେ ସମାନ କାମ କରୁଥିବା ନିୟମିତ କର୍ମଚାରୀ ଓ ଠିକା କର୍ମଚାରୀ ଭିତରେ ଦରମା ତାରତମ୍ୟ ବହୁତ ଅଧିକ। ଠିକା କର୍ମଚାରୀ ଆର୍ଥିକ କ୍ଷତିଗ୍ରସ୍ତ ସହ ଅସୁରକ୍ଷିତ ମଣୁଛନ୍ତି। ଫଳରେ କାମର ଗୁଣବତ୍ତା ପ୍ରଭାବିତ ହେଉଛି। ତା’ଛଡା ଠିକା ନିଯୁକ୍ତି ଯୋଗୁ ଦୁର୍ନୀତି ବଢ଼ୁଥିବା ସେ କହିଥିଲେ।

ଖାଲିପଦରେ ନିୟମିତ ନିଯୁକ୍ତି ଦେଲେ ସରକାରଙ୍କ ବଳକା ବଜେଟ ତଳକୁ ପଳାଇବ। ବେକାରୀଙ୍କୁ ବନ୍ଧକ ଶ୍ରମିକ ଭଳି ଖଟାଯାଉଛି। ଠିକା ନିଯୁକ୍ତିକୁ କେବେ ବନ୍ଦ କରିବେ ଜଣାଇବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ରାଜ୍ୟରେ ମୂଳ ପଦର ୩୪ ପ୍ରତିଶତ ଖାଲିପଡିଛି; କିନ୍ତୁ ରାଜ୍ୟ ସରକାର ପୂରଣ ନକରି ଠିକା ନିଯୁକ୍ତି ଦେଉଛନ୍ତି। ଲୋକଙ୍କୁ ବୋକା ନ ବନେଇ ନିୟମିତ ନିଯୁକ୍ତି ଦେବାକୁ ସେ ଦାବି କରିଥିଲେ। ବିଧାୟକ ଭୂପିନ୍ଦର ସିଂହ କହିଥିଲେ ଯେ ଠିକାନିଯୁକ୍ତି କେବଳ ଓଡ଼ିଶାରେ ନୁହେଁ; ବରଂ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଚାଲିଥିବା ଦୃଷ୍ଟାନ୍ତ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନା ପ୍ରସଙ୍ଗ ଉଠାଇବା ସହ ଏଭଳି ନିଯୁକ୍ତି ଉପରେ ପ୍ରଶ୍ନ କରିଥିଲେ। ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ସାଏ ଏହି ଆଲୋଚନାରେ ଅଂଶଗ୍ରହଣ ସରକାରଙ୍କ ସପକ୍ଷରେ ମତ ରଖିଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ୧୯୯୯ରେ ରାଜ୍ୟର ଆର୍ଥିକ ଅବସ୍ଥା ଭଲ ନଥିଲା। କର୍ମଚାରୀଙ୍କ ଦରମାରେ ସବୁ ରାଜସ୍ବ ଯାଉଥିଲା। ତାକୁ ନିୟନ୍ତ୍ରଣ କରିବାକୁ ସ୍ଥାୟୀ ନିଯୁକ୍ତି ବନ୍ଦ କରାଯାଇଥିଲ। ଏବେ ସ୍ଥିତି ବଦଳିଛି। ନିଯୁକ୍ତି ଦେବାରେ କିଛି ସମସ୍ୟା ନାହିଁ। ଖାଲିପଦ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗଗୁଡିକୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ପୂଜାରୀ କହିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories