ଭାରତ ବନ୍ଦ ପାଳନ ବେଳେ ହିଂସା, ୧୦ ମୃତ
ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ଅତ୍ୟାଚାର ନିରୋଧ ଆଇନ ୧୯୮୯ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ସୋମବାର ଦେଶ ବ୍ୟାପୀ ବନ୍ଦ ପାଳନ କରାଯାଇଛି । ଅନେକ ସ୍ଥାନରେ ବନ୍ଦ ପାଳନ ହିଂସାତ୍ମକ ରୂପ ନେଇଛି । ଏଥିରେ ଅନ୍ୟୁନ ୧୦ ଜଣ ପ୍ରାଣ ହରାଇଛନ୍ତି । ବନ୍ଦ ପାଳନ ବେଳେ ବିଭିନ୍ନ ଦଳିତ ସଂଗଠନ ଓ ସେମାନଙ୍କ ସମର୍ଥକ ରାସ୍ତା ଅବରୋଧ କରିଥିଲେ । ବିଶେଷକରି ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ହରିୟାଣା, ବିହାର, ଝାଡ଼ଖଣ୍ଡ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ବନ୍ଦ ପାଳନ ହିଂସାତ୍ମକ ରୂପ ନେଇଛି। ରେଳରୋକ ଏବଂ ବସ୍ ପୋଡ଼ାଜଳା ଯୋଗୁ ବିଭିନ୍ନସ୍ଥାନରେ ଯାତ୍ରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ବନ୍ଦ ପାଳନ ଯୋଗୁ ପଞ୍ଜାବରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ୍ କରିବାକୁ ପଡିଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନର କେତେକ ସ୍ଥାନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ହିଂସାକାଣ୍ଡରେ ମଧ୍ୟପ୍ରଦେଶର ୬ ଜଣ, ଉତ୍ତରପ୍ରଦେଶରେ ୨ଜଣ, ରାଜସ୍ଥାନରେ ଜଣେ ଏବଂ ଏକ ନବଜାତକର ଆମ୍ବୁଲାନ୍ସରେ ମୃତ୍ୟୁ ଘଟିଛି ।
ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରାକୁ ସର୍ବ ଭାରତୀୟ ଆଦି ଧରମ ମିଶନ ଓ ସର୍ବ ଭାରତୀୟ ଆଦି ଧର୍ମ ସାଧୁ ସମାଜ ସମର୍ଥନ ଜଣାଇଥିଲା । ଏହି ବନ୍ଦ ଡାକରାକୁ ପ୍ରତ୍ୟାହାର କରିନେବା ଲାଗି ସରକାର ଉକ୍ତ ସଂଗଠନଗୁଡିକୁ ନିବେଦନ କରିଥିଲେ ବି ସେମାନେ ଶୁଣିନଥିଲେ । ବିଭିନ୍ନ ଦଳିତ ସଂଗଠନ ସୋମବାର ସକାଳୁ ପିକେଟିଂ କରି ବନ୍ଦ ପାଳନ କରିଥିଲେ । ମଧ୍ୟପ୍ରଦେଶ ମୋରେନାରେ ବନ୍ଦ ପାଳନ ହିଂସାତ୍ମକ ରୂପ ନେବା ପରେ ପୁଲିସ୍କୁ ଗୁଳି ଚାଳନା କରିବାକୁ ପଡିଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି । ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଗ୍ୱାଲିୟରରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭିଣ୍ଡରେ ସଂଘର୍ଷ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜସ୍ଥାନର ଅଲୱରରେ ଆନ୍ଦୋଳନ ଉଗ୍ରରୂପ ନେବା ପରେ ପୁଲିସ୍ ଗୁଳି ମାଡ଼ରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତର ପ୍ରଦେଶର ମୁଜଫରନଗର ମଣ୍ଡି ଥାନା ଅଞ୍ଚଳରେ ପ୍ରଦର୍ଶନକାରୀମାନେ ପୁଲିସ୍ ଉପରକୁ ପଥର ମାଡ଼ କରିଥିଲେ । ଫଳରେ ପୁଲସ୍ ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା । ଗାଜିଆବାଦରେ ରେଳ ଟ୍ରାକ୍ରେ ବହୁ ପ୍ରଦର୍ଶନକାରୀ ଏକାଠି ହୋଇ ଟ୍ରେନ୍ ଚଳାଚଳ ବନ୍ଦ କରିଦେଇଥିଲେ। ହାପୁରରେ ଉଗ୍ର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ୍ ଲାଠିଚାର୍ଜ କରିଛି । ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନକାରୀ ପଥର ମାଡ଼ କରିଛନ୍ତି । ମେରଠରେ ଦିଲ୍ଲୀ-ଡେରାଡୁନ୍ ଜାତୀୟ ରାଜପଥକୁ ପ୍ରଦର୍ଶନକାରୀ ଅବରୋଧ କରି ରଖିଛନ୍ତି । ପ୍ରଦର୍ଶନକାରୀ ସେଠାରେ ୨ଟି ବସ୍ ଜାଳି ଦେଇଛନ୍ତି । ମେରଠର କେଙ୍କରଖେଡା ଥାନାର ଶୋଭାପୁର ଫାଣ୍ଡିକୁ ଦଳିତ ପ୍ରଦର୍ଶନକାରୀ ଜାଳି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ପୋଡ଼ା ଜଳିା ଓ ଭଙ୍ଗାରୁଜା ଘଟିଛି । ରାଜସ୍ଥାନ ଅଲୱରର ଦାଉଦପୁର ନିକଟରେ ଦଳିତ ପ୍ରଦର୍ଶନକାରୀ ରେଳ ଟ୍ରାକ୍କୁ ଉପାଡି ଦେଇଛନ୍ତି । ଫଳରେ ଏହି ଟ୍ରାକ୍ରେ ରେଚ ଚଳାଚଳ ବନ୍ଦ ହୋଇଯାଇଛି । ସେଠାରେ ପୁଲିସ୍ର ଗୁଳି ମାଡ଼ରେ ୩ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ଭରତପୁରଠାରେ ମହଳିାମାନେ ରାସ୍ତାରୋକ୍ କରିଛନ୍ତି । ବିହାରର ହାଜିପୁରରେ ଦଳିତ ପ୍ରଦର୍ଶନକାରୀମାନେ କେତେକ କୋଚିଂ ସେଣ୍ଟରକୁ ଭାଙ୍ଗି ଦେଇଛନ୍ତି । ବିହାରର ମଧୁୱନି, ଦରଭଙ୍ଗା, ହଜାନାବାଦ, ଆରା, ଅରୋରିୟା, ଗୟାରେ ପ୍ରଦର୍ଶନକାରୀମାନେ ହିଂସାକାଣ୍ଡ ଭିଆଇଛନ୍ତି । ଏହି ସବୁ ସ୍ଥାନରେ ପରିସ୍ଥିତିକୁ ନିୟନ୍ତଣ କରିବା ପାଇଁ ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡିଛି।
ପ୍ରକାଶ ଯେ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରୋଧ) ଆଇନର ଦୁରୁପଯୋଗକୁ ରୋକିବାକୁ ସୁପ୍ରିମକୋର୍ଟ ନିକଟରେ କଠୋର ସର୍ତ୍ତାବଳୀ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଏହି ଆଇନ ଅନୁଯାୟୀ ଦାୟର ମାମଲାରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଏଣିକି ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ବିଚାରପତି ଆଦର୍ଶ ଗୋଏଲ ଓ ୟୁୟୁ ଲଳିତଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ପୀଠ ତାଙ୍କ ରାୟରେ କହିଛନ୍ତି ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାର ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ଏପରିକି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାର ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନରେ କୌଣସି ପ୍ରକାର କଟକଣା ରହିବ ନାହିଁ। ସରକାରୀ କର୍ମଚାରୀଙ୍କ ବିରୋଧରେ ଏସସି/ଏସଟି (ଅତ୍ୟାଚାର ନିରୋଧ) ଅନୁଯାୟୀ ମାମଲା ରୁଜୁ କରାଯାଇ ହଇରାଣ ହରକତ କରାଯାଉଛି। ଏପରି କି ଅନେକ ସମୟରେ ଏହି ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବାକୁ ସରକାରୀ କର୍ମଚାରୀଙ୍କୁ ଧମକ ଦିଆଯାଉଛି।