୨୦ ବର୍ଷ ପ୍ରତୀକ୍ଷା: ମାଓଗଡ଼ର ଭୋଟରଙ୍କ ହାତରେ ଲାଗିଲା କାଳି, ବୁଲେଟରେ ନୁହେଁ ବାଲଟରେ ବାଛିଲେ ନିଜ ପ୍ରତିନିଧି

ଭବାନୀପାଟଣା /ଲାଞ୍ଜିଗଡ: ଗଣତନ୍ତ୍ରର ମହାପର୍ବରେ ସାଧାରଣ ଜନତା ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜର ଜନ ପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି । କିନ୍ତୁ ଦୀର୍ଘ ୨୦ ବର୍ଷ ଧରି କେତେବେଳେ ଗ୍ରାମବାସୀମାନେ ନିଜପସନ୍ଦର ନେତାକୁ ମନୋନୀତ କରୁଥିଲେ ତ କେତେବେଳେ ମାଓବାଦୀଙ୍କ ବୁଲେଟ ମୁନରେ ସରପଞ୍ଚ, ସମିତସଭ୍ୟ ଓ ୱାର୍ଡ଼ ମେମ୍ବର ବାଛୁଥିଲେ । କିନ୍ତୁ ୨୨ ତାରିଖ ଦିନ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବୁଲେଟରେ ନୁହେଁ ବାଲଟରେ ବାଛିଲେ ନିଜ ମନପସନ୍ଦର ନେତା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଭୋଟର ଏବଂ ନିର୍ବାଚନ ପରିଚାଳନା କରୁଥିବା କର୍ମଚାରୀଙ୍କୁ ସାହସ ଓ ଉତ୍ସାହିତ କରିବା ପାଇଁ ନିଜେ ଡିଆଇଜି ଓ କଳାହାଣ୍ଡି ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

prayash

କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡ଼ର ପାଦଦେଶରେ ରହିଛି ତ୍ରିଲୋଚନପୁର ପଞ୍ଚାୟତର । ମାଓଗଡ ଭାବେ ପରିଚିତ ତ୍ରିଲୋଚନପୁର । ୨୦୦୨ ମସିହାରେ ୨୭ ଖଣ୍ଡ ଗାଁକୁ ନେଇ ନୂତନ ପଞ୍ଚାୟତ ଭାବରେ ଗଠିତ ହୋଇଥିଲା ତ୍ରିଲୋଚନପୁର ପଞ୍ଚାୟତ । ଏହି ପଞ୍ଚାୟତରେ ଆଦିମ ଜନଜାତି ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ବସବାସ କରନ୍ତି । ଏହି ଅଞ୍ଚଳରେ ୨୦୧୧ ମସିହାରେ ମାଓବାଦୀ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ । ତ୍ରିଲୋଚନପୁରରେ ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିବା ସହ ଆଦିବାସୀଙ୍କ ମୌଳିକ ସମସ୍ୟା ଓ ସରକାରଙ୍କ ଅପାରଗତାର କଥା କହି ନିୟମଗିରି ଅଞ୍ଚଳରେ ନିଜର କାୟାବିସ୍ତାର କରିଥିଲା। ବିଭିନ୍ନ ସମୟରେ ବହୁ ମୁଣ୍ଡ ଗଡାଇଛନ୍ତି ମାଓବାଦୀ । ୨୦୦୨ରୁ ପଞ୍ଚାୟତବାସୀ ବିନା ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବରଙ୍କୁ ନିଜ ପସନ୍ଦରେ ବାଛୁଥିଲେ। କିନ୍ତୁ ୨୦୧୧ ମସିହାରୁ ୨୦୧୭ ପର୍ୟ୍ୟନ୍ତ ମାଓବାଦୀଙ୍କ ବୁଲେଟ ମୁନରେ ମନୋନୀତ ହେଉଥିଲେ ଲୋକ ପ୍ରତିନିଧି । ମାଓ ଭୟରେ ଉକ୍ତ ଅଞ୍ଚଳକୁ କୌଣସି ସରକାରୀ କର୍ମଚାରୀ, ନେତା, ମନ୍ତ୍ରୀଙ୍କ ପାଦପଡୁ ନ ଥିଲା । ଫଳରେ ଏହି ପଞ୍ଚାୟତବାସୀ ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହିଆସିଥିଲେ। ମାଓବାଦୀ ଇଙ୍ଗିତରେ ଏହି ପଞ୍ଚାୟତବାସୀ ଉଠୁଥିଲେ ଓ ବସୁଥିଲେ । ଯେପରି ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ଏବଂ ସ୍ୱାଧିନତାକୁ ଛଡାଇ ନେଇଥିଲେ ମାଓବାଦୀ । ଭୟ ଓ ଆତଙ୍କିତ ଅବସ୍ଥାରେ ପଞ୍ଚାୟତବାସୀ ଦିନ କାଟୁଥିଲେ । ଲାଞ୍ଜିଗଡ ବ୍ଳକରେ ଗତ କିଛି ମାସ ହେଲା ଯୁବ ବିଡ଼ିଓ ଭାବରେ ଜିତେନ୍ଦ୍ର ମିଶ୍ର ଯୋଗଦେବା ପରେ ପ୍ରଥମେ ସେ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ବରମ୍ବାର ଯାଇ ଡଙ୍ଗରିଆ ଓ ଝରଣୀଆଙ୍କ ସହିତ ମିଳାମିଶା କରିବା ସହିତ ସେମାନଙ୍କ ଦୁଃଖ ସୁଖର ସାଥି ହୋଇଥିଲେ । ସେ ଅଞ୍ଚଳର ମୌଳିକ ବିକାଶ ଉପରେ ଗୁରୁତ୍ୱ ଦେବା ସହିତ ଗ୍ରାମବାସୀଙ୍କ ନିକଟତର ହୋଇଥିଲେ । ଗାଁ ଗାଁରେ ପୁଲିସ ଓ ବ୍ଳକ ପ୍ରଶାସନ ଜନସଚେତନତା ସୃଷ୍ଟି କରିଥିଲେ । ଯାହା ବିଡ଼ିଓ ମିଶ୍ରଙ୍କ ଆପ୍ରାଣ ଉଦ୍ୟମରେ ଦୀର୍ଘ ୨୦ ବର୍ଷ ପରେ ୨୨ ତାରିଖ ଦିନ ୨୭ ଗ୍ରାମର ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ସମ୍ପ୍ରଦାୟର ୧୦୮୫ ମତଦାତା ୧୧ ମତଦାନ କେନ୍ଦ୍ରରେ ବୁଲେଟରେ ନୁହେଁ ବାଲେଟ ପେପରରେ ମୋହର ମାରି ବାଛିଛନ୍ତି ନିଜ ପ୍ରତିନିଧି।

ଚଳିତ ପଞ୍ଚାୟତ ନିର୍ବାଚନରେ ତ୍ରିଲୋଚନପୁର ପଞ୍ଚାୟତରେ ସରପଞ୍ଚ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସମିତି ସଭ୍ୟ ଆସନ ମଧ୍ୟ ମହିଳାଙ୍କ ପାଇଁ ରହିଛି । ସେହିପରି ଜିଲ୍ଲା ପରିଷଦ ଆସନ ପୁରୁଷଙ୍କ ପାଇଁ ସଂରକ୍ଷିତ ଅଛି । ନିର୍ବାଚନୀ ମୈଦାନରେ ଦୁଇ ସରପଞ୍ଚ ଓ ୩ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସହ ୬ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ମାଓଗଡରେ କିପରି ଶାନ୍ତି ଶୃଙ୍ଖଳାରେ ଓ ନିର୍ଭୟରେ ଲୋକେ ଭୋଟଦେବେ ତାହା ଜିଲ୍ଲା, ବ୍ଳକ ପ୍ରଶାସନ ଓ ପୁଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ସେଥିପାଇଁ ଗତ ଦୁଇମାସ ହେଲା ବ୍ଳକ ଓ ପୁଲିସ ପ୍ରଶାସନ ମିଳିତ ଭାବରେ ଘନଘନ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହିତ ମିଶି ସେମାନଙ୍କ ମନରୁ ମାଓଭୟ ଦୂର କରିବାର ପ୍ରୟାସ କରିଆସୁଥିଲେ । ୨୦ ବର୍ଷ ପରେ ପ୍ରଥମ କରି ଗାଁ ନେତା ଗ୍ରାମବାସୀମାନେ ନିଜେ ଭୋଟ ଦେଇ ବାଛିବେ । ତାକୁ ନେଇ ଡ଼ଙ୍ଗରିଆ ଓ ଝରଣୀଆ ଗ୍ରାମବାସୀ ବେଶ୍ ଉତ୍ସାହିତ ଥିବାର ଦେଖାଯାଇଥିଲା । ପୂର୍ବପରି ପଞ୍ଚାୟତରେ ୧୧ଟି ୱାର୍ଡମେମ୍ବର ପଦବୀ ପାଇଁ ନିର୍ଦ୍ୱନ୍ଦରେ ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏଥର ପଞ୍ଚାୟତ ନିର୍ବାଚନରେ ୨ ମହିଳା ସରପଞ୍ଚ ପ୍ରାର୍ଥିନୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏଠାରେ ବିକାଶର ସ୍ବପ୍ନ ଦେଖିଛନ୍ତି ଅଞ୍ଚଳବାସୀ । ୨୦ ତାରିଖ ଦିନ ଉକ୍ତ ପଞ୍ଚାୟତର ୧୧ଟି ଭୋଟ କେନ୍ଦ୍ରରେ କଡା ସୁରକ୍ଷା ଭିତରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ସରକାରୀ କର୍ମଚାରୀମାନେ ପହଞ୍ଚି ଥିଲେ । ସେମାନଙ୍କ ମନରେ ମାଓ ଭୟ ଥିଲେ ମଧ୍ୟ ସମସ୍ତ ଭୋଟକେନ୍ଦ୍ର ଓ ୨୭ ଗ୍ରାମ ଚାରିପାଶ୍ୱରେ ଗତ ଦୁଇଦିନ ହେଲା ସିଆରପିଏଫ, ଡିଭିଏଫ, ଆଇଆରବି, ଏସ୍ଓଜି ଯବାନ କୁମ୍ବିଂ ଅପରେସନ କରିବା ସହିତ ଗ୍ରାମବାସୀମାନେ ନିର୍ଭୟରେ ଭୋଟ ଦେବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯିବା ସହିତ ସବୁ ଭୋଟକେନ୍ଦ୍ର ଓ ଗ୍ରାମ ଉପରେ ଯବାନମାନେ କଡା ନଜର ରଖିଥିଲେ । ଚାରିଆଡେ ପୋଲିସ ପେଟ୍ରଲିଙ୍ଗି କଡାକଡି କରିଥିଲା । ୨୨ ତାରିଖ ସକାଳୁ ତ୍ରୀଲୋଚନପୁର ପଞ୍ଚାୟତ ର ୨୭ ଖଣ୍ଡ ମାଓପ୍ରବଣ ଗ୍ରାମର ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ମହିଳା ଓ ପୁରୁଷ ଭୋଟର ନୂଆଲୁଗା ପିନ୍ଧି ଓ ସେମାନଙ୍କ ପାରମ୍ପରିକ ବେଶଭୂଶାରେ ପିଲା ଛୁଆ ଧରି ଚାଲି ଚାଲି ଭୋଟ କେନ୍ଦ୍ରକୁ ଆସିବା ଦୃଶ୍ୟ ଓ ସେମାନଙ୍କ ମନରେ ଭୋଟ ଦେବାର ଯେଉଁ ଖୁସି ତାହା ଯିଏ ଦେଖିବ ସେ ହିଁ ଜାଣିପାରିବ ଯେ ନିର୍ବାଚନର ଏହି ମହାପର୍ବ ସେମାନଙ୍କ ପାଇଁ କେତେ ମୂଲ୍ୟବାନ ଥିଲା । ଏହି ନିର୍ବାଚନ ପୁଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ଥିବାରୁ ନିଜେ ଦକ୍ଷିଣ ପଶ୍ଚିମ ଜୋନ(କୋରାପୁଟ ) ପୁଲିସ ଡିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସପି ଡ. ଶ୍ରବଣ ବିବେକ ଏମ୍ ସମସ୍ତ ୧୧ ଟି ଭୋଟ କେନ୍ଦ୍ରରେ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତି ସୃଷ୍ଟି ନହେବ ସେଥିପାଇଁ ସବୁପ୍ରକାର ସୁରକ୍ଷା ବ୍ୟବସ୍ତା କରାଯାଇଥିଲା । ଡଙ୍ଗରିଆ ଓ ଝରଣୀଆ ଆଦିବାସୀମାନେ ନିର୍ଭୟରେ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ଦିନ ୨ଟା ପର୍ଯ୍ୟନ୍ତ ଭୋଟ ଚାଲିଥିଲା । ଭୋଟ କାର୍ଯ୍ୟ ସୁରୁଖୁରୁରେ ସାରି ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀମାନେ କଡା ସୁରକ୍ଷା ଭିତରେ ବ୍ଳକ କାର୍ୟ୍ୟାଳୟକୁ ଆସି ବାଲେଟ ବକ୍ସ ଆଣି ଜମା ଦେଇଥିବା ଜଣାପଡ଼ିଛି।

kalyan agarbati

Comments are closed.